Categories: ଜାତୀୟ

ଭୟଙ୍କର ଦୁର୍ଘଟଣାରେ ସହଦେବ ଗୁରୁତର

ରାୟପୁର, ୨୯।୧୨: ‘ବଚ୍‌ପନ୍‌ କା ପ୍ୟାର୍‌’ ଗୀତ ଗାଇ ଲୋକପ୍ରିୟ ହୋଇଥିବା ସହଦେବ ଦିର୍‌ଦୋ ଏକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ତାଙ୍କୁ ବହୁତ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ଛତିଶଗଡ଼ର ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିମରାପାଲ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଅପରାହ୍ନରେ ସହଦେବ ନିଜ ବନ୍ଧୁମାନଙ୍କ ସହ ବାଇକ୍‌ରେ ବସି ଶବରୀ ନଗର ଯାଉଥିଲେ। ଏହି ସମୟରେ ତାଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିରେ ସହଦେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ସହଦେବଙ୍କ ଦୁର୍ଘଟଣା ଖବର ପାଇ ସୁକମା ଜିଲାପାଳଙ୍କ ସମେତ ଏସ୍‌ପି ଡାକ୍ତରଖାନା ଯାଇ ସମସ୍ତ ବ୍ୟବସ୍ଥା କରିଛନ୍ତି।

ଏଥିସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜେ ଗାୟକଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାର ଆଶ୍ୱାସନା ଦେଇଛନ୍ତି। ଅପରପକ୍ଷେ ବଲିଉଡ୍‌ର ଜଣାଶୁଣା ଗାୟକ ବାଦ୍‌ଶାହ ତାଙ୍କର ସ୍ବାସ୍ଥାବସ୍ଥା ପଚାରି ବୁଝିଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

Share