ବୈଶିଙ୍ଗା,୧୧।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ବଡ଼ ମେଡ଼ିକାଲରୁ ଚୋରି ହୋଇଥିବା ଶିଶୁକୁ ଶନିବାର ଅପରାହ୍ନରେ ବୈଶିଙ୍ଗା ବଜାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏଥିସହ ଶିଶୁ ଚୋରି କରିଥିବା ମହିଳାଙ୍କୁ ମଧ୍ୟ ଗିରଫ କରିଛି ବାରିପଦା ପୋଲିସ।
ପ୍ରାପ୍ତ ସୂଚନା ମୁତାବକ, ପ୍ରାୟ ବର୍ଷକ ପୂର୍ବେ ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ଗ୍ରାମର ଅରୁଣ ମାଝୀଙ୍କ ସହ ପାର୍ବତୀ ହେମ୍ବ୍ରମ ବିବାହ କରିଥିଲେ। ଶନିବାର ସକାଳ ସମୟରେ ବାରିପଦା ବଡ ମେଡ଼ିକାଲରୁ ଏକ ନବଜାତ ଶିଶୁକୁ ସାଙ୍ଗରେ ଆଣିବା ସହ ବୈଶିଙ୍ଗା ବଜାରସ୍ଥିତ ଏକ ମେଡ଼ିସିନ ଦୋକାନ ପାଖରୁ ମେଡିସିନ କିଣି ନିକଟରେ ବସି ରହିଥିଲେ। ବାରିପଦା ପୋଲିସ ତଦନ୍ତ ପୂର୍ବକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଅପରାହ୍ନ ସମୟରେ ବୈଶିଙ୍ଗା ସ୍ଥିତ ଉକ୍ତ ମହିଳାଙ୍କ ଡାହିବାଡ଼ିସ୍ଥିତ ଶ୍ୱଶୁର ଘରକୁ ଯାଇ ତାଙ୍କୁ ଖୋଜାଖୋଜି କରିବା ପରେ ପାଇ ନ ଥିଲେ। ସେହି ଗ୍ରାମର କିଛି ଲୋକଙ୍କଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ବାରିପଦା ପୋଲିସ ସ୍ବାମୀ ଅରୁଣ ମାଝୀ ଏବଂ ଦେଢଶୁର ଶିବ ମାଝୀଙ୍କୁ ସାଙ୍ଗରେ ଆଣି ବୈଶିଙ୍ଗା ବଜାରରେ ସେହି ସ୍ଥାନରେ ଚୋରି ହୋଇଥିବା ନବଜାତ ଶିଶୁକୁ ଉଦ୍ଧାର କରିବା ସହ ଭକ୍ତ ମହିଳାଙ୍କୁ ମଧ୍ୟ ଗିରଫ କରିଥିଲେ। ଏହି ଘଟଣା ବୈଶିଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏ ସମ୍ପର୍କରେ ବୈଶିଙ୍ଗା ଥାନାରେ କୈଣସି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।


