ଅଭୟାରଣ୍ୟରେ ହାତୀ ଶାବକଙ୍କର ମୃତ୍ୟୁ

ହାଟଡିହୀ,୧୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମଶାଘାଟି ନିକଟରେ ୫ -୬ ବର୍ଷର ଏକ ଅଣ୍ଡିରା ହାତୀଛୁଆର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିଲେ। ମୃତ ହାତୀଛୁଆକୁ ଛାଡ଼ି ଯାଇ ନ ଥିଲେ। ନିଜ ଭିତରେ ହାତୀମାନଙ୍କ ସଂଘର୍ଷରେ ହିଁ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଡିଏଫ୍‌ଓ ଅଭୟ କୁମାର ଦଳେଇ ସୂଚନା ଦେଇଛନ୍ତି। ଅନେକ ସମୟ ଧରି ହାତୀମାନେ ସମ୍ପୃକ୍ତ ଘଟଣା ଘଟିଥିବା ସ୍ଥାନରେ ରହିଥିବାରୁ ବିଳମ୍ବରେ ବନ ବିଭାଗ ହାତୀ ଛୁଆଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ପରେ ମୃତଦେହ ପୋତି ଦିଆଯାଇଛି। ମୃତ୍ୟୁର ଅଧିକ କାରଣ ନେଇ ବନବିଭାଗ ତଦନ୍ତ ଜାରି ରଖିଛି।