ହାଇକୋର୍ଟ ଗଲେ ବାବୁସାନ୍‌

କଟକ ଅଫିସ,୨୭ା୭: ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଥାନାରେ ମାମଲା ହୋଇଥିଲା। ସ୍ତ୍ରୀ ତୃପ୍ତି ବାବୁସାନ୍‌ଙ୍କ ନାଁରେ ଦଫା ୪୯୮(କ) ଏବଂ ୫୦୬ରେ ମାମଲା ଦାୟର କରିଥିଲେ। ତେବେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବୁସାନ୍‌।

ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ସ୍ବାମୀଙ୍କ ବିରୋଧରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ ପୋଲିସ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ କରି ହାଜର ହେବା ପାଇଁ ନୋଟିସ କରିଥିଲା। ଦୁଇଦିନ ହେଲା ବାବୁସାନ୍‌ ହାଜର ହେଉ ନ ଥିଲେ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିଥିଲେ ମଧ୍ୟ ହାଜର ନ ହୋଇ ଆଗୁଆ ଜାମିନ ପାଇଁ ସିଧା ହାଇକୋର୍ଟ ଯାଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ରାଜଧାନୀ ରାଜରାସ୍ତାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପ୍ରକୃତି ଓ ବାବୁସାନ୍‌ ଏକ କାର୍‌ରେ ଥିବା ବେଳେ ସେଠାରେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଉଭୟଙ୍କୁ ଟଣାଓଟରା କରିଥିଲେ। ପ୍ରକୃତିଙ୍କୁ ଗୋଡ଼ାଇ ଗୋଡ଼ାଇ ତୃପ୍ତି ଚୁଟି ଧରି ମାରିଥିଲେ। ଏହାପରେ ପ୍ରକୃତି ଓ ବାବୁସାନ୍‌ ଚେନ୍ନାଇ ଚାଲି ଯାଇଥିଲେ। ପ୍ରକୃତି ତାଙ୍କ ପରିବାର ସହ ମଙ୍ଗଳବାର ଭୁବନେଶ୍ୱର ଫେରିଥିବା ବେଳେ ଆଜି ବାବୁସାନ ଫେରିଥିଲେ।