ବାବୁଲିଙ୍କୁ ହତ୍ୟା ଉଦ୍ୟମ ଘଟଣା: ୫ ଗିରଫ

କେନ୍ଦ୍ରାପଡ଼ା ଅଫିସ,୨୭।୭: ଧର୍ମ ଜାଗରଣ ସେନା ଆବାହକ ତଥା କେନ୍ଦ୍ରାପଡ଼ା ସହର ତିନିମୁହାଣି ବଜାର କମିଟି ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ ମାମଲାରେ କେନ୍ଦ୍ରାପଡ଼ା ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଏସ୍‌ପି ସମ୍ବିତ ସମ୍ପଦ ସଦର ଥାନାରେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଏହି ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଏହି ୫ ଅଭିଯୁକ୍ତଙ୍କ ନାମ ସର୍ବସମ୍ମୁଖକୁ ଅଣାଯାଉନାହିଁ। ତେବେ ଅଭିଯୁକ୍ତଙ୍କଠାରୁ ୧ ରିଭଲଭର, ୧ ମାରୁତି ସୁଜୁକି କାର, ୧ ବୋଲେରୋ, ୨ ବାଇକ, ୭ ମୋବାଇଲ ଜବତ ହୋଇଛି।
ସେହିପରି କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ଅସୁରେଶ୍ୱରର ଏକ ହସ୍ପିଟାଲକୁ ସିଲ୍‌ କରାଯାଇଛି। ଏଥିସହ ସେ କହିଛନ୍ତି ଯେ, ଗତ ୧୪ ତାରିଖ ମଧ୍ୟାହ୍ନରେ ବାବୁଲି ରାମନଗରପାଟଣାଠାରେ ଥିବା ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଥିଲେ। ଦୁଇଜଣ ବ୍ୟକ୍ତି ସେଠାକୁ ଆସି ବାବୁଲିଙ୍କୁ ଦେଖା କରିବାକୁ କହି ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମାନସ ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହି ସମୟରେ କନଷ୍ଟେବଳ ମହାନ୍ତି ଗୋଟିଏ ରାଉଣ୍ଡ ଫାୟାର କରିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଥିଲେ। ଏନେଇ କନଷ୍ଟେବଳ ମହାନ୍ତିଙ୍କୁ ଅଭିଯୋଗ ଅନୁଯାୟୀ ସଦର ଥାନାରେ ୩୯୫/୨୧ରେ ମାମଲା ହୋଇଛି। ଏହି ମାମଲାରେ ବହୁ ଦୁବୃର୍ର୍ତ୍ତ ସହଯୋଗ କରୁଥିବା ସୂଚନା ମିଳୁଛି। ତେବେ ମୁଖ୍ୟ ଅଭିଯୁକ୍ତଙ୍କୁ ଅଦ୍ୟାବଧି ଧରାଯାଇ ନାହିଁ।