Categories: ଜାତୀୟ

ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ: ୫ ବିଧାୟକ ଦଳ ଛାଡିବା ଦେଇ ଦାବି କଲେ ବାବୁଲ ସୁପ୍ରିୟୋ

କୋଲକତା,୨୭।୧୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ଭାଜପାରେ ସଙ୍କଟ ଥିବା କହିଛନ୍ତି। ସେ ଏହା ମଧ୍ୟ ଦାବି କରିଚନ୍ତି କି ଭାଜପାର ୫ ବିଧାୟକ ଖୁବ୍‌ଶୀଘ୍ର ଦଳ ଛାଡିବେ। ଏହି ୫ ବିଧାୟକ ଭାରତୀୟ ଜନତା ପାର୍ଟିର ହ୍ବାଟ୍‌ସଆପ ଗ୍ରୁପ୍‌ ଛାଡିଥିବା ସେ କହିଛନ୍ତି। ସୁପ୍ରିୟୋ ତିନିମାସ ପୂର୍ବେ ଭାଜପା ଛାଡି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଥିଲେ। ଭାଜପାର ୫ ବିଧାୟକ ମୁକୁତମୋନି ଅଧିକାରୀ, ସୁବ୍ରତ ଠାକୁର, ଅମ୍ବିକା ରୟ, ଅଶୋକ କୀରତାନି ଓ ଅସିମ ସରକାରଙ୍କୁ ବିଭିନ୍ନ କମିଟିରୁ ଶନିବାର ଦଳ ପକ୍ଷରୁ କାଢି ଦିଆଯାଇଥିଲା। ଏହାପରେ ସେମାନେ ରାଗରେ ଭାଜପା ହ୍ବାଟସଆପ ଗ୍ରୁପରୁ ବାହାରି ଯାଇଛନ୍ତି। ତେଣୁ ସେମାନେ ଦଳ ଛାଡି ଟିଏମସିରେ ମିଶିବେ ବୋଲି କୁହାଯାଉଛି।


ସୁପ୍ରିୟୋ ବଙ୍ଗାଳୀରେ ଟୁଇଟ କରି କହିଛନ୍ତି, ଭାଜପାରେ ଗୋଟିଏ ପରେ ଗୋଟିଏ ଉଇକେଟ ଗଡୁଛି। ଆଜି ଆଉ ପାଞ୍ଚଟି ଯାଇଛି। ଶିବ ବାବୁ(ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଅଭିଯାନର ତଦାରଖ କରୁଥିବା ଜାତୀୟ ସାଧାରଣ ସମ୍ପାଦକ ଶିବ ପ୍ରକାଶ) ଏବେ ସୁଦ୍ଧା କୈଳାଶ ପର୍ବତକୁ ଯାଇଥାନ୍ତେ। ଯଦି ଆପଣ ବଙ୍ଗାଳୀ କଙ୍କଡା ଖୋଜିବାକୁ ଚାହୁଁଛନ୍ତି, ଯିଏ ଆପଣଙ୍କୁ ପଛରୁ ଟାଣିବ, ତେବେ ମୁରଲିଧର ଲେନ (ରାଜ୍ୟ ଭାଜପା କାର୍ଯ୍ୟାଳୟ) କୁ ଯାଆନ୍ତୁ।

Share