Categories: ଖେଳ

ବିଶ୍ୱରେକର୍ଡ କଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌

କରାଚି,୧୭।୩: ଅଷ୍ଟ୍ରେଲିଆ ବିପକ୍ଷ କରାଚି ଟେଷ୍ଟରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୫୦୬ ରନର ଲକ୍ଷ୍ୟର ଜବାବରେ ପାକିସ୍ତାନ ଦଳ ଚତୁର୍ଥ ଇନିଂସରେ ଏକ ସମୟରେ ୨୧ ରନରେ ୨ ଉଇକେଟ ହରାଇଥିଲା। ଏହା ପରେ ବାବର ପାକିସ୍ତାନର ବିଜୟ ଆଶା ବଢାଇଥିଲେ। ଯଦିଓ ପାକିସ୍ତାନ ବିଜୟ ହାସଲ କରିପାରିଲା ନାହିଁ, କିନ୍ତୁ ପରାଜୟକୁ ଏଡାଇବାରେ ସଫଳ ହୋଇଥିଲା। ପାକିସ୍ତାନୀ ଅଧିନାୟକ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ପଥର ଭଳି ଛିଡ଼ା ହୋଇଥିଲେ ଏବଂ ଚତୁର୍ଥ ଇନିଂସରେ ୧୯୬ ରନର ଏକ ବିରାଟ ଇନିଂସ ଖେଳିଥିଲେ।
ବାବର ମାତ୍ର ୪ ରନ ପାଇଁ ଦ୍ୱିଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଏକ ବିରାଟ ଇନିଂସ ଜରିଆରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବାବର ବିରାଟ କୋହଲି, ରିକି ପଣ୍ଟିଙ୍ଗଙ୍କ ପରି ଭେଟେରାନ ମାନଙ୍କୁ ପଛରେ ପାକାଇଥିଲେ। ସେ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ଦୁନିଆର ପ୍ରଥମ ଅଧିନାୟକ ହୋଇପାରିଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ମାଇକେଲ ଆର୍ଥଟନଙ୍କ ନାମରେ ଥିଲା, ଯିଏ ୧୯୯୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୮୫ ରନ କରିଥିଲେ। ଏହି ତାଲିକାରେ ମାଇକେଲଙ୍କ ପରେ ବେଭାନ କଙ୍ଗଡନ, ଡନ ବ୍ରାଡମ୍ୟାନ, ରିକି ପଣ୍ଟିଂ, ଗ୍ରାମ ସ୍ମିଥ, ବ୍ରାଏନ ଲାରା, ବିରାଟ କୋହଲିଙ୍କ ପରି ଭେଟେରାନମାନେ ମଧ୍ୟ ସାମିଲ ଅଛନ୍ତି। ବାବର ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ଭାବରେ ଚତୁର୍ଥ ଇନିଂସରେ ୧୪୧ ରନ ସଂଗ୍ରହ କରିଥିଲେ।
ଏହା ବ୍ୟତୀତ ବାବର ଆଜାମ ମଧ୍ୟ ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିଥିବା ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବାବର ୟୁନିସ ଖାନଙ୍କୁ ପଛରେ ପକାଇଛନ୍ତି। ୨୦୧୫ ରେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଇନିଂସରେ ୟୁନିସ ଅପରାଜିତ ୧୭୧ ରନ ସଂଗ୍ରହ କରିଥିଲେ। ଚତୁର୍ଥ ଇନିଂସରେ ୪୦୦ରୁ ଅଧିକ ବଲ ଖେଳିଥିବା ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ବାବର।

Share