ଇସଲାମାବାଦ,୫।୭: ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ବଡ଼ ଘୋଷଣା। ଆଗାମୀ ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଗସ୍ତ ପାଇଁ ବୋର୍ଡ ଟେଷ୍ଟ ଦଳର ଘୋଷଣା କରିଛି। ଏହା ସହିତ ଦଳର ଅଧିନାୟକ ପଦରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ପୁଣିଥରେ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ ଦଳ ପ୍ରଥମେ ୱେଷ୍ଟଇଣ୍ଡିଜ ଗସ୍ତ କରି ସେଠାରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ଏବଂ ଏହା ପରେ ତୁରନ୍ତ ଇଂଲଣ୍ଡ ଗସ୍ତ କରି ୩ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
ପିସିବି ଶାନ ମସୁଦଙ୍କୁ ଅଧିନାୟକ ପଦରୁ ହଟାଇ ବାବର ଆଜମଙ୍କୁ ପୁଣି ଦାୟିତ୍ୱ ଦେଇଛି। ୨୦୨୩ ଶେଷ ଆଡ଼କୁ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବାବର ଏବେ ପୁଣିଥରେ ଟେଷ୍ଟ ଟିମ୍ର ମଙ୍ଗ ଧରିବେ। ବାବର ଏପର୍ଯ୍ୟନ୍ତ ୨୦ଟି ଟେଷ୍ଟ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିବା ବେଳେ ସେଥିରୁ ୧୦ଟିରେ ଦଳ ବିଜୟୀ ହୋଇଛି। ଅପରପକ୍ଷରେ, ମସୁଦଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୧୬ଟି ଟେଷ୍ଟ ମ୍ୟାଚ୍ରୁ ୧୨ଟିରେ ପରାଜୟର ସାମ୍ନା କରିଥିଲା, ଯାହା ଏହି ପରିବର୍ତ୍ତନର ମୁଖ୍ୟ କାରଣ ସାଜିଛି।
ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ବାମହାତୀ ସ୍ପିନର ଅଲି ଉସମାନ, ଡାହାଣହାତୀ ବ୍ୟାଟର ମହମ୍ମଦ ଆୱେସ ଜାଫର, ଡାହାଣହାତୀ ଦ୍ରୁତ ବୋଲର ଉବାଇଦ ଶାହା ଏବଂ ଉଇକେଟକିପର ବ୍ୟାଟର ମହମ୍ମଦ ଗାଜି ଘୋରୀଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ସିଲେକସନ କମିଟି ୱେଷ୍ଟଇଣ୍ଡିଜ ପାଇଁ ୧୬ ଜଣିଆ ଏବଂ ଇଂଲଣ୍ଡ ଗସ୍ତ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ସଉଦ ଶକିଲଙ୍କୁ ୧୭ତମ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ ଦଳରେ ରଖାଯାଇଛି, ହେଲେ ତାଙ୍କ ଖେଳିବା ଫିଟନେସ ରିପୋର୍ଟ ଉପରେ ର୍ନିଭର କରିବ।
ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ (୧୬ ଜଣିଆ ଦଳ): ବାବର ଆଜମ (ଅଧିନାୟକ), ଆମିର ଜମାଲ, ଅବଦୁଲ୍ଲା ଫଜଲ, ଅଲି ଉସମାନ, ଅଜାନ ଆୱେସ, ଇମାମ ଉଲ୍ ହକ, ଖୁର୍ରମ ଶହଜାଦ, ମହମ୍ମଦ ଆବ୍ବାସ, ମହମ୍ମଦ ଅଲି, ମହମ୍ମଦ ରିଜୱାନ (ଉଇକେଟକିପର), ମହମ୍ମଦ ଆୱେସ ଜାଫର, ମହମ୍ମଦ ଗାଜି ଘୋରୀ (ଉଇକେଟକିପର), ସାଜିଦ ଖାନ, ସଲମାନ ଅଲି ଆଗା, ଶାନ ମସୁଦ ଏବଂ ଉବାଇଦ ଶାହା।
ଇଂଲଣ୍ଡ ଗସ୍ତ ପାଇଁ (୧୭ ଜଣିଆ ଦଳ): ବାବର ଆଜମ (ଅଧିନାୟକ), ଆମିର ଜମାଲ, ଅବଦୁଲ୍ଲା ଫଜଲ, ଅଲି ଉସମାନ, ଅଜାନ ଆୱେସ, ଇମାମ ଉଲ୍ ହକ, ଖୁର୍ରମ ଶହଜାଦ, ମହମ୍ମଦ ଆବ୍ବାସ, ମହମ୍ମଦ ଅଲି, ମହମ୍ମଦ ରିଜୱାନ (ଉଇକେଟକିପର), ମହମ୍ମଦ ଆୱେସ ଜାଫର, ମହମ୍ମଦ ଗାଜି ଘୋରୀ (ଉଇକେଟକିପର), ସାଜିଦ ଖାନ, ସଲମାନ ଅଲି ଆଗା, ସଉଦ ଶକିଲ (ଫିଟନେସ ଆଧାରରେ), ଶାନ ମସୁଦ ଏବଂ ଉବାଇଦ ଶାହା।
ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍:
ପ୍ରଥମ ଟେଷ୍ଟ: ୨୫ ରୁ ୨୯ ଜୁଲାଇ (ବ୍ରାୟନ ଲାରା କ୍ରିକେଟ ଏକାଡେମୀ, ତାରୌବା)
ଦ୍ୱିତୀୟ ଟେଷ୍ଟ: ୨ ରୁ ୬ ଅଗଷ୍ଟ (କ୍ୱିନ୍ସ ପାର୍କ ଓଭାଲ, ପୋର୍ଟ ଅଫ୍ ସ୍ପେନ)
ଇଂଲଣ୍ଡ ଟେଷ୍ଟ ସିରିଜ୍:
ପ୍ରଥମ ଟେଷ୍ଟ: ୧୯ ରୁ ୨୩ ଅଗଷ୍ଟ (ଲିଡ୍ସ)
ଦ୍ୱିତୀୟ ଟେଷ୍ଟ: ୨୭ ରୁ ୩୧ ଅଗଷ୍ଟ (ଲର୍ଡସ)
ତୃତୀୟ ଟେଷ୍ଟ: ୯ ରୁ ୧୩ ସେପ୍ଟେମ୍ବର (ବର୍ମିଂହାମ)