Categories: ଜାତୀୟ

ଆଣ୍ଡ୍ରଏଡ୍‌ ଡେଭ୍‌ଲପର ଋଷିଙ୍କୁ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ଅଦମ୍ୟ ଇଚ୍ଛାଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଟି ରହିପାରେ ନାହିଁ। ଆଧୁନିକ ଯୁଗରେ ବହୁଳ ବ୍ୟବହାର ହେଉଥିବା ଆଣ୍ଡ୍ରଏଡ୍‌ ଆପ୍ଲିକେଶନ୍‌କୁ ଡେଭ୍‌ଲପ୍‌ କରି ଏହାକୁ ପ୍ରମାଣ କରିଛନ୍ତି ବେଙ୍ଗାଲୁରୁର ଋଷି ଶିବ ପ୍ରସନ୍ନ। ୮ ବର୍ଷୀୟ ଋଷିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ସମ୍ମାନରେ ସମ୍ମାନିତ କରିଛନ୍ତି। ଏତେ କମ୍‌ ବୟସରେ ସେ ୩ଟି ଆଣ୍ଡ୍ରଏଡ୍‌ ଆପ୍ଲିକେଶନ୍‌ ଡେଭ୍‌ଲପ୍‌ କରିଛନ୍ତି।
ଋଷିଙ୍କ ଆଇକ୍ୟୁ (ଇଣ୍ଟେଲିଜେନ କ୍ୱାଟିଏଣ୍ଟ) ୧୮୦ ଥିବାବେଳେ ଜଣେ ସାଧାରଣ ଲୋକର ଆଇକ୍ୟୁ ୮୫ରୁ ୧୧୫ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ଆଇକ୍ୟୁ ୧୩୦ ରହିଥାଏ ସେମାନଙ୍କୁ ବହୁ ଜ୍ଞାନୀ ବୋଲି କୁହାଯାଏ। ଋଷି ଜଣେ ୟୁଟ୍ୟୁବର ମଧ୍ୟ। ବିଜ୍ଞାନ ସମ୍ବନ୍ଧୀୟ ସୂଚନା ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ଦେଇଥାନ୍ତି। ପିଲାଟିବେଳୁ ବିଜ୍ଞାନ କ୍ଷେତ୍ରରେ ଋଷିଙ୍କ ଆଗ୍ରହ ଥିଲା। ବହି ପଢ଼ି ନୂଆ ଜିନିଷ ବିଷୟରେ ଜାଣିବା ତାଙ୍କୁ ଭଲ ଲାଗିଥାଏ। ଚଳିତବର୍ଷ ୫-୧୮ ବୟସ ବର୍ଗ ଭିତରେ ମୋଟ ୧୧ ଜଣ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ଭିନ୍ନ ଉପଲବ୍ଧି ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରାଯିବ।

Share