ଅଜିମାବାଦ ପ୍ରାଥମିକ ବିଦ୍ୟାଳୟ: ଖବର ପ୍ରକାଶ ପରେ ପ୍ରଶାସନିକ ତତ୍ପରତା

ବିଞ୍ଝାରପୁର,୧୯ା୧୧(ଦେବ ପ୍ରସାଦ ସାହୁ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସୟଦପୁର ପଞ୍ଚାୟତସ୍ଥିତ ଅଜିମାବାଦ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଏବେ ପ୍ରଶାସନ ନଜରକୁ ଆସିଛି। ଅଗଷ୍ଟ ୨୫ରେ ‘ଧରିତ୍ରୀ’ରେ ବିଦ୍ୟାଳୟର ଦୁରବସ୍ଥା ଓ ସମସ୍ୟାକୁ ନେଇ ‘ବିଦ୍ୟାଳୟ ପରିକ୍ରମା’ ସ୍ତମ୍ଭରେ ଖବର ପ୍ରକାଶ ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟର ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଜରିଆରେ ଜିଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଦ୍ୟାଳୟର ବର୍ତ୍ତମାନର ସ୍ଥିତି ସହ ଏହାର ଉନ୍ନତୀକରଣର ଆବଶ୍ୟକତା ସମ୍ପର୍କରେ ଉଚ୍ଚସ୍ତରରେ ଅବଗତ କରାଯାଇଥିବାରୁ ଆଗାମୀ ଦିନରେ ସମସ୍ୟାର ସମାଧାନ ହେବା ନେଇ ଆଶା ସଞ୍ଚାର ହୋଇଛି। ବିଶେଷକରି ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଏହାକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ତେବେ କେବଳ ରିପୋର୍ଟ ପ୍ରସ୍ତୁତିରେ ଏହି ପଦକ୍ଷେପ ସୀମିତ ନ ରଖି ବାସ୍ତବ କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଓ ପିଲାଙ୍କ ପାଇଁ ଉପଯୁକ୍ତ ଶିକ୍ଷଣ ପରିବେଶ ସୃଷ୍ଟି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ସରପଞ୍ଚ ଏମ୍‌ଡି ସବୀର ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ବିଦ୍ୟାଳୟ ସମସ୍ୟା ପ୍ରତି ପ୍ରଶାସନ ଅବଗତ ରହିଛି, ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଅଜିମାବାଦ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୨୭ ବର୍ଷ ଧରି ଏକ ଅସୁରକ୍ଷିତ ପୁରୁଣା ଡାକବଙ୍ଗଳାରେ ଚାଲିଆସୁଛି। ୧୯୯୯ ମସିହା ମହାବାତ୍ୟାରେ ଖରସ୍ରୋତା ନଦୀ ଗର୍ଭରେ ଲୀନ ହୋଇଯାଇଥିଲା ଏହି ବିଦ୍ୟାଳୟ। ସେବେଠାରୁ ନଦୀକୂଳରେ ଅବସ୍ଥିତ ଜଳସମ୍ପଦ ବିଭାଗର ପୁରୁଣା ଡାକ ବଙ୍ଗଳାଘରେ ଏହି ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଇଛି। ଗୋଟିଏ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି। ବର୍ଷା ଓ ବନ୍ୟା ସମୟରେ ନଦୀ ବଢ଼ି ଯୋଗୁ ବିଦ୍ୟାଳୟ ମାସମାସ ଧରି ବନ୍ଦ ରହୁଛି। ଏଭଳି ସମସ୍ୟାକୁ ନେଇ ଖବର ପ୍ରକାଶ ପାଇଥିଲା।

Share