Categories: ଜାତୀୟ

ଆଜାଦିସାଟ୍‌ ବାଟବଣା

ଶ୍ରୀହରିକୋଟା, ୮ା୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ରବିବାର ଉତ୍‌କ୍ଷେପଣ କରାଯାଇଥିବା ଇଓଏସ୍‌-୨ ଏବଂ ଆଜାଦିସାଟ୍‌ ଉପଗ୍ରହ ପୃଥିବୀ କକ୍ଷପଥରେ ଠିକ୍‌ ସ୍ଥାନରେ ପହଞ୍ଚିପାରିନାହିଁ। ସକାଳେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଇସ୍ରୋ କ୍ଷୁଦ୍ର ଉପଗ୍ରହ ଉତ୍‌କ୍ଷେପଣ ଯାନ ଏସ୍‌ଏସ୍‌ଏଲ୍‌ଭି-ଡି୧ ଯୋଗେ ଏହି ଦୁଇଟି ସାଟେଲାଇଟକୁ ପଠାଇଥିଲା। ଗୋଲାକାର ପଥରେ ନ ଘୂରି କକ୍ଷଚ୍ୟୁତ ହୋଇଥିବାରୁ ଶେଷପର୍ଯ୍ୟାୟରେ ଏହାର ଡାଟା ନଷ୍ଟ ହୋଇଛି। ଫଳରେ ଏହି ସାଟେଲାଇଟ ଦ୍ୱୟ ଆଉ ଲକ୍ଷ୍ୟ ହାସଲରେ ଉପଯୋଗୀ ହୋଇପାରିବେ ନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି। ତେବେ ଏଥିରେ ଅଧିକ କାର୍ଯ୍ୟ କରାଯାଇ ଏସ୍‌ଏସ୍‌ଏଲ୍‌ଭି-ଡି୨କୁ ପ୍ରସ୍ତୁତ କରାଯିବ ଏବଂ ସାଟେଲାଇଟ୍‌ ଉତ୍‌କ୍ଷେପଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ସ୍ବାଧୀନତା ଦିବସ ପାଳନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫୦ ସ୍କୁଲ ଛାତ୍ରୀ ଆଜାଦିସାଟ୍‌ ପ୍ରସ୍ତୁତ କରିଥିଲେ। ଏହା ଏକ ୮-ୟୁ କ୍ୟୁବ୍‌ସାଟ୍‌ ହୋଇଥିବାବେଳେ ଏହାର ଓଜନ ପ୍ରାୟ ୮ କେଜି। ଏଥିରେ ବିଭିନ୍ନ ପ୍ରକାରର ୭୫ ପ୍ଲେଲୋଡ୍‌ ରହିଥିଲା। ପ୍ରତି ପ୍ଲେଲୋଡ୍‌ର ଓଜନ ପ୍ରାୟ ୫୦ କେଜି ହେବ।

Share