‘ଡକ୍ଟର ଜୀ’ରେ ଆୟୁଷ୍ମାନଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: କରୋନା ମହାମାରୀ କାରଣରୁ ବଲିଉଡରେ ଶୁଟିଂ ବନ୍ଦ ଥିଲା । ଏବେ କିଛିଦିନ ହେବ ଶୁଟିଂ ପାଇଁ ଅନୁମତି ମିଳିବା ପରେ ପଡି ରହିଥିବା କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି । ଏହାରି ଭିତରେ ସାମ୍ନାକୁ ଆସିଛି ବଲିଉଡ୍ ନାୟକ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଡକ୍ଟର ଜୀ’ର ଫାଷ୍ଟ ଲୁକ । ଏହି ଫିଲ୍ମର ଶୁଟିଂ ପାଇଁ ଅଭିନେତା ଏବେ ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି । ଏବେ ଆୟୁଷ୍ମାନ ଶୁଟିଂ ସେଟରୁ ଫିଲ୍ମରେ ନିଜର ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଉକ୍ତ ଫଟୋରେ ଆୟୁଷ୍ମାନ ହାତରେ ଏକ ପୁସ୍ତକ ଧରିଥିବା ବେଳେ ହସ ହସ ମୁହଁରେ ଯେମିତି କୁଆଡେ ବାହାରୁ ଥିବା ଦେଖାଯାଇଛି । ପୁଣି କଲେଜ କ୍ୟାମ୍ପସରେ ଥିବା ଭଳି ନଜର ଆସୁଛି । ଡାକ୍ତରମାନେ ପିନ୍ଧୁ ଥିବା କୋଟ ସହ ଏକ ଷ୍ଟେଥୋ ବି ଧରିଛନ୍ତି । ଆଉ ସେ ଯେଉଁ ବହିଟି ଧରିଛନ୍ତି ସେଥିରେ ଲେଖାଯାଇଛି ସ୍ତ୍ରୀ ରାଗ ଚିକିତ୍ସା । ଏଥିରୁ ଅନୁମାନ କରାଯାଉଛି କି ଆୟୁଷ୍ମାନ ଏଥିରେ ଜଣେ ଗାୟନେକୋଲଜିଷ୍ଟ ଭୂମିକାରେ ନଜର ଆସିବେ । ଏହି ଫଟୋକୁ ଶେୟାର କରିବା ସହ ସେ ଲେଖିଛନ୍ତି, ଡାକ୍ତର ପ୍ରସ୍ତୁତ ହୋଇ ବାହାରିଲେ , ଏବେ ହେବ ଶୁଟିଂ । ଜଙ୍ଗଲି ପ୍ରଡକସନ୍ ବ୍ୟାନରେ ନିର୍ମାଣ କରାଯାଉଛି ଏହି ଫିଲ୍ମ । ଅବଶ୍ୟ ଏହି ବ୍ୟାନରରେ ଆୟୁଷ୍ମାନଙ୍କର ଏହା ତୃତୀୟ ଫିଲ୍ମ । ଏହି ବ୍ୟାନରରେ ପୂର୍ବରୁ ଆୟୁଷ୍ମାନ ‘ବରେଲି କି ବର୍ଫି’ ଓ ‘ବଧାଇ ହୋ’ ରେ କାମ କରି ସାରିଛନ୍ତି । ଏଥିରେ ଆୟୁଷ୍ମାନଙ୍କ ବ୍ୟତିତ ରକୁଲ ପ୍ରିତ ସିଂ ମୁଖ୍ୟ ଭୂମିକାରେ ଦେଖାଦେବେ । ରକୁଲ ଓ ଆୟୁଷ୍ମାନ ଏହି ଫିଲ୍ମ ମାଧ୍ୟମରେ ପ୍ରଥମ କରି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ଅନୁଭୂମି କଶ୍ୟପ । ଏହା ଏକ କ୍ୟାମ୍ପସ କମେଡି ଡ୍ରାମା ଫିଲ୍ମ ବୋଲି କୁହାଯାଉଛି ।

Share