ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..

ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର ବଢ଼ାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ୮୯ଟି ନୂଆ ହେଲ୍ଥ ପ୍ୟାକେଜ ଯୋଡ଼ିବାକୁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି। ଏହା ଲାଗୁ ହେଲେ ସରକାରୀ ହସ୍ପିଟାଲଗୁଡ଼ିକ ପାଇଁ ସଂରକ୍ଷିତ ହେଲ୍ଥ ପ୍ୟାକେଜ ସଂଖ୍ୟା ୨୩ରୁ ବୃଦ୍ଧି ପାଇ ୧୧୨ ହୋଇଯିବ। ଏହି ନୂଆ ପ୍ୟାକେଜରେ ଗୁରୁତର ରକ୍ତହୀନତା, ଉଚ୍ଚ ରକ୍ତଚାପ, ବ୍ରୋଙ୍କାଇଟିସ, ଝାଡ଼ା, ମୂତ୍ର ସଂକ୍ରମଣ ଏବଂ ମଧୁମେହ ସମ୍ବନ୍ଧୀୟ ରୋଗର ଚିକିତ୍ସା ସାମିଲ ହେବ।

ଏହି ପ୍ରସ୍ତାବରେ କେବଳ ରୋଗର ଚିକିତ୍ସା ନୁହେଁ, ବରଂ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଏବଂ ଚକ୍ଷୁ ପରୀକ୍ଷାକୁ ମଧ୍ୟ ସାମିଲ କରାଯାଇଛି। ମହିଳାଙ୍କ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର, ଅର୍ଶ, ହାଇଡ୍ରୋସିଲ, ଗଣ୍ଠି ଏବଂ ସିଷ୍ଟର ଚିକିତ୍ସା ମଧ୍ୟ ଏହି ଯୋଜନାର ପରିସରଭୁକ୍ତ ହୋଇପାରେ। ଆସନ୍ତୁ ଜାଣିବା, ଆୟୁଷ୍ମାନ ଭାରତ ଯୋଜନାରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାଦ୍ୱାରା ରୋଗୀମାନେ କେତେ ଲାଭ ପାଇପାରିବେ।

ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (NHA) ଅତିରିକ୍ତ ୮୯ଟି ହେଲ୍ଥ ପ୍ୟାକେଜ ଚିହ୍ନଟ କରିଛି। ଏହାର ଉଦ୍ଦେଶ୍ୟ ହେଉଛି, ଏପରି ସାଧାରଣ ରୋଗ ଏବଂ ଅସ୍ତ୍ରୋପଚାରର ଚିକିତ୍ସା ସରକାରୀ ହସ୍ପିଟାଲରେ ଉପଲବ୍ଧ କରାଇବା, ଯେଉଁଥିପାଇଁ ରୋଗୀମାନଙ୍କୁ ପ୍ରାୟତଃ ବଡ଼ ହସ୍ପିଟାଲ କିମ୍ବା ଅନ୍ୟ ସହରକୁ ଯିବାକୁ ପଡ଼ିଥାଏ। ପ୍ରସ୍ତାବିତ ତାଲିକାରେ ବିଭିନ୍ନ ପ୍ରକାର ରୋଗକୁ ସାମିଲ କରାଯାଇଛି।

ରକ୍ତହୀନତା ଓ ଉଚ୍ଚ ରକ୍ତଚାପ: ଗୁରୁତର ରକ୍ତହୀନତା ଅର୍ଥାତ୍‌ ଶରୀରରେ ରକ୍ତର ପରିମାଣ ଅତ୍ୟଧିକ କମ ହେବା ଏବଂ ଦ୍ରୁତ ଗତିରେ ବଢ଼ୁଥିବା ଉଚ୍ଚ ରକ୍ତଚାପର ଚିକିତ୍ସାକୁ ଏହି ପ୍ୟାକେଜ୍ରେ ସାମିଲ କରିବାକୁ ପ୍ରସ୍ତାବ ରହିଛି। ଏହି ଦୁଇଟି ସ୍ଥିତିରେ ଠିକ ସମୟରେ ଚିକିତ୍ସା ନମିଳିଲେ ରୋଗୀଙ୍କ ସମସ୍ୟା ଆହୁରି ବଢ଼ିପାରେ।

ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ: ଆକ୍ୟୁଟ ବ୍ରୋଙ୍କାଇଟିସକୁ ମଧ୍ୟ ପ୍ରସ୍ତାବିତ ପ୍ୟାକେଜ୍ରେ ସ୍ଥାନ ଦିଆଯାଇଛି। ଏହି ରୋଗରେ ଶ୍ୱାସନଳୀରେ ଫୁଲା ଦେଖାଦିଏ। ଫଳରେ ରୋଗୀଙ୍କୁ କାଶ, କଫ ଏବଂ ଶ୍ୱାସ ନେବାରେ ସମସ୍ୟା ହୋଇପାରେ।

ପେଟ ଓ ଅନ୍ତନଳୀ ସମ୍ବନ୍ଧୀୟ ରୋଗ: ଡାଇରିଆ ଅର୍ଥାତ୍‌ ଝାଡ଼ା, ଡିସେଣ୍ଟ୍ରି ଅର୍ଥାତ୍‌ ରକ୍ତ ମିଶା ଝାଡ଼ା ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ ଭଳି ସମସ୍ୟାର ଚିକିତ୍ସାକୁ ମଧ୍ୟ ସାମିଲ କରିବାକୁ ପ୍ରସ୍ତୁତି ଚାଲିଛି। ଏହି ରୋଗଗୁଡ଼ିକରେ ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା ଏବଂ ଶରୀରରେ ଜଳୀୟ ଅଂଶର ଅଭାବ ଭଳି ସମସ୍ୟା ଦେଖାଦେଇପାରେ।

ମୂତ୍ର ଓ କିଡ୍ନି ସମ୍ବନ୍ଧୀୟ ସମସ୍ୟା: ୟୁରିନାରି ଟ୍ରାକ୍ଟ ଇନ୍ଫେକ୍ସନ (UTI), ରେନାଲ କଲିକ ଏବଂ ଅନ୍ୟ କେତେକ ସମସ୍ୟାକୁ ମଧ୍ୟ ପ୍ରସ୍ତାବିତ ତାଲିକାରେ ସାମିଲ କରାଯାଇଛି। UTIରେ ମୂତ୍ରନଳୀରେ ସଂକ୍ରମଣ ହୋଇଥାଏ। ସେହିପରି ରେନାଲ କଲିକ ସାଧାରଣତଃ କିଡ୍ନିରେ ପଥର କିମ୍ବା ମୂତ୍ରନଳୀରେ ଅବରୋଧ ଯୋଗୁଁ ହେଉଥିବା ତୀବ୍ର ଯନ୍ତ୍ରଣା ସହ ଜଡ଼ିତ।

ଜ୍ୱର ଓ ମଧୁମେହ ସମ୍ବନ୍ଧୀୟ ସମସ୍ୟା: ହଠାତ୍‌ ଅଧିକ ଜ୍ୱର ହେଉଥିବା କେତେକ ସ୍ଥିତି ଏବଂ ମଧୁମେହ ସମ୍ବନ୍ଧୀୟ କିଛି ସମସ୍ୟାର ଚିକିତ୍ସାକୁ ମଧ୍ୟ ଏହି ପ୍ୟାକେଜରେ ସାମିଲ କରିବାକୁ ଯୋଜନା ରହିଛି।

 

Dharitri – Odisha’s No.1 Odia Daily

Share