ଭଙ୍ଗା ଘରେ ଚାଲିଛି ଆୟୁର୍ବେଦ ଚିକିତ୍ସାଳୟ

ଅମରପାଲି,୨୭।୧୧(ଡି.ଏନ.ଏ): ସରକାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ। ଚିକିତ୍ସାଳୟ ସ୍ଥାପନ, ମାଗଣା ଔଷଧ ବଣ୍ଟନ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ତୃଣମୂଳ ସ୍ତରରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ। ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟ ନେଇ ୨୩ ମେ, ୨୦୦୪ରେ ସ୍ଥାପନ କରାଯାଇଥିଲା ଏକ ଆୟୁର୍ବେଦ ଚିକିତ୍ସାଳୟ। ଚିକିତ୍ସାଳୟ ଉପରେ ବହଳପଦର, ଦୁର୍ଜନତୈଳା, ରେଢ଼ାଖୋଲ ବ୍ଲକର ରେଙ୍ଗାଲି, ବଡମାଳ, ଭାଲିଆକଟା, ଗରଗଡବାହାଲ ଆଦି ପଞ୍ଚାୟତର ପ୍ରାୟ ୮୦ରୁ ଅଧିକ ଗ୍ରାମର ଲୋକେ ନିର୍ଭର କରନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ଆରମ୍ଭରୁ ସ୍ଥାନୀୟ ହାଇସ୍କୁଲ ପରିସରରେ ଏକ ଅସ୍ଥାୟୀ ଗୃହରେ ଚାଲିଛି । ବିଭିନ୍ନ ସମୟରେ ପ୍ରାୟ ୭ରୁ ଅଧିକ ଡାକ୍ତର ବଦଳି ହେଲେଣି । ଅଞ୍ଚଳର ଲୋକଙ୍କ ବାରମ୍ବାର ଦାବି ପରେ ଗତ ୮ ବର୍ଷ ତଳେ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କୋଠା ଘର ନିର୍ମାଣ କାମ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ତାହା ବ୍ୟବହାର ହେଉନାହିଁ। କୋଠାରେ ବିଦ୍ୟୁତ୍‌କରଣ ହୋଇଥିବା ବେଳେ ଲାଗିଥିବା ବଲବ, ପଙ୍ଖା ସବୁ ଅଚଳ ହୋଇଗଲାଣି। ପାନୀୟ ଜଳ ଯୋଗାଣ ପାଇଁ ଏ ଯାଏ କୌଣସି ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଏପରି କି ୩-୪ ବର୍ଷ ହେଲା ଏଠାକୁ କେବେ ଡାକ୍ତର ଆସୁଛନ୍ତି ଲୋକେ ମଧ୍ୟ ଜାଣି ପାରୁନାହାନ୍ତି। ଅଞ୍ଚଳରେ ଲୋକେ ଚିକିତ୍ସା ସେବା ନ ପାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ କ୍ବାକ୍‌ମାନଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ଉକ୍ତ ଅଞ୍ଚଳରେ ଏବେ ପ୍ରାୟ ୨ଶହରୁ ଅଧିକ ଲୋକ କିଡ୍‌ନୀ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା, କଟକ, ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଯାଉଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କିଡ୍‌ନୀ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁବରଣ କରି ସାରିଲେଣି। ତଥାପି ସ୍ବାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ତତ୍ପର ହେଉନାହାନ୍ତି।

ନିକଟରେ ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁଙ୍କ ନେତୃତ୍ୱରେ ଅମରପାଲି ଗ୍ରାମବାସୀ ବଲାଙ୍ଗୀର ଆୟୁର୍ବେଦ ଚିକିତ୍ସା ଅଧିକାରୀ ସନତ ଶତପଥୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଭଙ୍ଗା ଘରେ ଅସ୍ଥାୟୀ ଭାବେ ଚାଲିଥିବା ଚିକିତ୍ସାଳୟକୁ ନୂତନ କୋଠା ଘରକୁ ସ୍ଥାନାନ୍ତର କରି ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଏନେଇ ଏଡିଏମଓ ଶତପଥୀଙ୍କୁ ପଚାରିବାରୁ ଖୁବଶୀଘ୍ର ଉକ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।