Categories: ଜାତୀୟ

ଅଯୋଧ୍ୟା ପୂଜକ, ୧୫ ପୋଲିସଙ୍କୁ କରୋନା

ଅଯୋଧ୍ୟା,୩୧ା୭:ବହୁ ପ୍ରତୀକ୍ଷିତ ରାମମନ୍ଦିର ଭୂମିପୂଜା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ପର୍ବ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ରେ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଅଯୋଧ୍ୟାର ରାମମନ୍ଦିର ନିକଟରେ କର୍ତ୍ତବ୍ୟରତ ୧୫ ପୋଲିସ ଓ ଜଣେ ପୂଜକଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏମାନଙ୍କ ରିପୋର୍ଟ ଗୁରୁବାର ପଜିଟିଭ୍‌ ଆସିଛି। ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ସାଧୁସନ୍ଥମାନଙ୍କୁ ଅଗଷ୍ଟ ୫ ପୂର୍ବାହ୍ନ ୧୧.୩୦ରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ ନିଜର ମଠ ଓ ମନ୍ଦିରରେ ପୂଜା କରିବା ଲାଗି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଅପିଲ କରାଯାଇଛି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଇ ଭୂମିପୂଜାର ଲାଇଭ୍‌ ଟେଲିକାଷ୍ଟ ଟିଭିରେ ଦେଖିବା ସହ ଘରେ ସନ୍ଧ୍ୟାରେ ମାଟି ଦୀପ ଜାଳିବା ଲାଗି ଅନୁରୋଧ କରିଛନ୍ତି। ଅଗଷ୍ଟ ୫ ଉତ୍ସବରେ ଅଯୋଧ୍ୟା ଓ ବାରାଣସୀରୁ ୧୧ ପୂଜକ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ କରୋନା ପଜିଟିଭ୍‌ ହୋଇଥିବା ପୂଜକ ପ୍ରଦୀପ ଦାସ ଏହି ପୂଜକମାନଙ୍କ ମଧ୍ୟରେ ନାହାନ୍ତି। ତେଣୁ କାର୍ଯ୍ୟକ୍ରମ ଲାଗି ବ୍ୟସ୍ତ ହେବାର ନାହିଁ ବୋଲି ମହନ୍ତ କମଳ ନୟନ ଦାସ ପ୍ରକାଶ କରିଛନ୍ତି। ୫ରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦୦ ଭିଭିଆଇପି ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରଷ୍ଟ କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି।

Share