Ayodhya Deepotsav 2026: ଦୀପୋତ୍ସବ ପାଳନକୁ ନେଇ ଅଯୋଧ୍ୟା ଉତ୍ସବମୁଖର; ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ସହ ହେବ ଇତିହାସ

ଅଯୋଧ୍ୟା,୭।୧୧: ଆଜି ଅଯୋଧ୍ୟାରେ ଦଶମ ‘ଦୀପୋତ୍ସବ’ ପାଳନ କରାଯାଉଛି। ସାକେତ କଲେଜ ଠାରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ ଦୀପୋତ୍ସବ ପାଇଁ ଉଦ୍ଦିଷ୍ଟ ଶୋଭାଯାତ୍ରା ବା ଟାବ୍ଲୋ (tableau) ଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ମୋଟ ୨୧ଟି ଟାବ୍ଲୋ ୪ କିଲୋମିଟର ପଥ ଅତିକ୍ରମ କରି ରାମକଥା ପାର୍କରେ ପହଞ୍ଚିବ। ‘ଶିବମୁଦ୍ରା’ ପ୍ରଦର୍ଶନ କରୁଥିବା ଏକ ଦଳ ଏହି ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି। ଏହି ଟାବ୍ଲୋଗୁଡ଼ିକ ମଧ୍ୟରୁ ୭ଟି ରାମାୟଣ ଉପରେ ଆଧାରିତ ହୋଇଥିବା ବେଳେ, ୧୪ଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ପ୍ରଦର୍ଶିତ କରୁଛି।
ଅପରାହ୍ନରେ ଆୟୋଜିତ ରାମକଥା କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥି ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶ୍ରୀରାମଙ୍କ ପ୍ରତୀକାତ୍ମକ ‘ରାଜ୍ୟାଭିଷେକ’ ସମ୍ପାଦନ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଉପସ୍ଥିତ ରହିବେ। ଏହା ବ୍ୟତୀତ, ବିଭିନ୍ନ ଦେଶରୁ ଆସିଥିବା କଳାକାର ଦଳ ଏକ ‘ଆନ୍ତର୍ଜାତୀୟ ରାମଲୀଳା’ ପରିବେଷଣ କରିବେ।
ଅନ୍ୟପକ୍ଷରେ, ସରଯୂ ନଦୀ କୂଳରେ ଥିବା ‘ରାମ କି ପୈଡ଼ି’ର ୫୬ଟି ଘାଟକୁ ସୁସଜ୍ଜିତ କରାଯାଇଛି। ସା ସମୟରେ ସେଠାରେ ୩୦ ଲକ୍ଷ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯିବ। ‘ସରଯୂ ମହା ଆରତୀ’ରେ ମୋଟ ୨,୧୪୭ ଜଣ ପୂଜକ ଏକକାଳୀନ ଅଂଶଗ୍ରହଣ କରିବେ। ଏହାଛଡ଼ା, ରାମାୟଣର ବିଭିନ୍ନ ଘଟଣାବଳୀକୁ ଜୀବନ୍ତ କରି ଦେଖାଇବା ପାଇଁ ଆକାଶରେ ୨,୧୦୦ଟି ଡ୍ରୋନ ଉଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ‘ଦୀପୋତ୍ସବ’ କାର୍ଯ୍ୟକ୍ରମ ସ୍ଥଳକୁ କେବଳ ୬,୦୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ; ଏଥିପାଇଁ ପ୍ରଶାସନ ପକ୍ଷରୁ ପାସ ମଧ୍ୟ ଜାରି କରାଯାଇସାରିଛି। ତେବେ, ମୁଖ୍ୟ କାର୍ଯ୍ୟକ୍ରମ ଶେଷ ହେବା ପରେ, ଭକ୍ତମାନେ ‘ରାମ କି ପୈଡ଼ି’କୁ ଯାଇ ‘ଦୀପୋତ୍ସବ’ର ଉତ୍ସବ ଦେଖିପାରିବେ।

Dharitri – Odisha’s No.1 Odia Daily

Share