ଶ୍ରୀଲଙ୍କାରେ ଯାଜପୁରର ଅୟେସଙ୍କ କମାଲ

ଯାଜପୁର,୧୮।୭(ହର୍ଷବର୍ଦ୍ଧନ ବେହେରା)ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଦ୍ୱାରା ପରିଚାଳିତ କ୍ରିକେଟ ଏକାଡେମୀ ‘କ୍ରିକ୍‌ କିଙ୍ଗ୍‌ଡ଼ମ’ ପକ୍ଷରୁ ୧୭ବର୍ଷରୁ କମ୍‌ ଚମ୍ପିୟନ ଟ୍ରଫି ଖେଳିବା ପାଇଁ ଯାଜପୁରର ଅୟେସ ପତି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ସୋମବାର କଲମ୍ବୋଠାରେ ଶ୍ରୀଲଙ୍କା ବିପକ୍ଷରେ ସେ ଦୁଇଟି ଟି୨୦ ମ୍ୟାଚ ଖେଳିଛନ୍ତି। ଏଥିରେ ଅୟେସ ପ୍ରଥମ ମ୍ୟାଚରେ ୧୮ ବଲରେ ୪ ଛକା ସହ ୪୧ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ୩ ଓଭର ବୋଲିଂ କରି ୨୦ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିବା ସହ ବ୍ୟାଟିଂରେ ସେ ୧୮ ଟି ବଲ୍‌ରୁ ୩୦ରନ କରିଥିଲେ। ଉଭୟ ମ୍ୟାଚରେ ଅୟେସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଇସିସି ମାନ୍ୟତାପ୍ରାପ୍ତ ହୋଇ ନ ଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ କୌଣସି ୧୭ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଗୋଟିଏ ଦିନରେ ଦୁଇ ଥର ମ୍ୟାନ ଅଫ୍‌ ଦି ମ୍ୟାଚ ହେବା ଏକ ବିରଳ ଦୃଷ୍ଟାନ୍ତ। ଅୟେସ ହେଉଛନ୍ତି ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ନିୟୁମାର୍କେଟ ସ୍ଥିତ ଜେମ୍ସ ସ୍କୁଲର ପ୍ରତିଷ୍ଠାତା ତଥା ବରିଷ୍ଠ ଖବରଦାତା ଅଭୟ ପତି ଏବଂ ଆଡଭୋକେଟ ଅସ୍ମିତା ପତିଙ୍କ ବଡ଼ପୁଅ। ତାଙ୍କୁ ଏବେ ସମଗ୍ର ଜିଲାରୁ ଶୁଭେଚ୍ଛାର ବାର୍ତ୍ତା ମିଳିବାରେ ଲାଗିଛି। ତାଙ୍କର ଏହି ସଫଳତା ପାଇଁ ସେ କୋଚ୍‌ ଜାହିର ଶେଖଙ୍କୁ ଧନ୍ୟବାଦ ଦେଇଛନ୍ତି। ଅୟେସ ସେଠାରେ ଆଉ ତିନୋଟି ୫୦ ଓଭର ବିଶିଷ୍ଟ ଏବଂ ଚାରୋଟି ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି।