ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର ସଦସ୍ୟଙ୍କ ସହ ଫୁଟ୍‌ପାଥରେ ଶୋଇଥିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା ବୋଲି ଜଣେ ପୋଲିସ ଅଧିକାରୀ ମଙ୍ଗଳବାର କହିଛନ୍ତି। ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭର ଅପରାଧ ଲୁଚାଇବାକୁ ଯାଇ ନାବାଳିକାଙ୍କ ମୃତଦେହକୁ ଫରିଦାବାଦ-ଗୁରୁଗ୍ରାମ ରାସ୍ତା ପାର୍ଶ୍ୱରେ ଫିଙ୍ଗିଦେଇଥିଲେ। ଘଟଣାର ୬ ଘଣ୍ଟା ପରେ ପୋଲିସ ତାଙ୍କୁ ଗିରଫ କରିଛି।
ଫୁଟ୍‌ପାଥରେ ରହୁଥିବା ନାବାଳିକାଙ୍କ ପରିବାର ସୋମବାର ସକାଳେ ଝିଅକୁ ନ ପାଇ ଅପହରଣ ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ପୋଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚତ୍ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଭୋର ୫ଟା ସମୟରେ ନାବାଳିକା ଫୁଟ୍‌ପାଥରେ ଶୋଇଥିବା ବେଳେ ବିହାରୀ ଟ୍ୟାକ୍ସି ଡ୍ରାଇଭର ତାଙ୍କୁ ପରିବାର ସଦସ୍ୟଙ୍କ ପାଖରୁ ଉଠାଇ ନେଇଥିଲେ। ତୁରନ୍ତ ଅପହରଣ ମାମଲା ରୁଜୁ କରି ପୋଲିସ ଉକ୍ତ ଅଞ୍ଚଳରେ ତଲାସି କରିଥିଲା। ନାବାଳିକାଙ୍କୁ ଖୋଜିବା ଲାଗି ୨୦ଟି ଟିମ୍‌ ଗଠନ କରାଯାଇଥିଲା। ଅପରାଧ ଘଟାଇସାରି ଅଭିଯୁକ୍ତ ଘଟଣାସ୍ଥଳକୁ ଫେରୁଥିବାବେଳେ ପୋଲିସକୁ ଦେଖି ଖସି ପଳାଇଥିଲା। ପୋଲିସ ତାଙ୍କୁ ପିଛାକରି ତୁରନ୍ତ ଗିରଫ କରିଥିଲା। ଜେରା ବେଳେ ଅଭିଯୁକ୍ତ ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ପୋଲିସ ପୀଡ଼ିତାଙ୍କ ମୃତଦେହ ଜବତ କରି ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଫୋରେନ୍‌ସିକ ଟିମ୍‌ ଅପହରଣ ସ୍ଥଳ ଏବଂ ମୃତଦେହ ମିଳିଥିବା ସ୍ଥଳରୁ ତଥ୍ୟ ପ୍ରମାଣ ସଂଗ୍ରହ କରି ଅନୁଧ୍ୟାନ ଚଳାଇଛି। ଅପରାଧ ସହ ଅନ୍ୟ କେହି ସମ୍ପୃକ୍ତ କି ନାହିଁ, ଓ ଡ୍ରାଇଭରଙ୍କ ନାମରେ ପୂର୍ବରୁ ଅପରାଧ ରେକର୍ଡ ଥିବା ନେଇ ପୋଲିସ ତଦନ୍ତ ଚଳାଇଛି।

Odisha’s No.1 Odia Daily

Share