ହାଟଡ଼ିହୀ/ଛେନାପଦୀ,୨୨l୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ରମ୍ପାସ ଜପିଦାସ ବିଦ୍ୟା ମନ୍ଦିରରେ ନନ୍ଦିପଦା ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଡ଼ରମ୍ପାସ ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ଜେନା, ଆମ ପୋଲିସ ସମିତି ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଚନ୍ଦ୍ର ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ଜେନା, ଦୁଃଶାସନ ସାହୁ, ବୀରେନ୍ଦ୍ର କୁମାର ବିଶାଳ, ପ୍ରମୋଦ କୁମାର ନାୟକ, ମନମୋହନ ବେହେରା, ବାଳକୃଷ୍ଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ବର୍ତ୍ତମାନ ସମୟରେ ଘଟୁଥିବା ସାଇବର ଠକେଇ, ବ୍ୟାଙ୍କ ଠକେଇ, ନାରୀ ନିର୍ଯାତନା, ବାଲ୍ୟ ବିବାହ ଆଦି ବିଷୟରେ ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ଲୋକଙ୍କୁ ସଚେତନ କରାଇଥିଲେ। ବିଶେଷକରି କୌଣସି ଅଜଣା ଲୋକଙ୍କ ସହିତ ଫୋନରେ କଥା ନ ହେବା, କାହାକୁ ଓଟିପି ସେୟାର ନ କରିବା, ଅନ୍ୟ ଲୋକଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନ ଦେବା, ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ ବାଇକ୍ ଚଲାଇବାକୁ ନ ଦେବା, ବିନା ହେଲମେଟରେ ବାଇକ୍ ନ ଚଳାଇବା, ଛୁଆଙ୍କ ଉପରେ ନଜର ରଖିବା, ବରିଷ୍ଠ ନାଗରିକଙ୍କୁ ଉପଯୁକ୍ତ ସୁରକ୍ଷା ଓ ସମ୍ମାନ ଯୋଗାଇ ଦେବା ଆଦି ବିଷୟରେ ଅବଗତ କରାଯାଇଥିଲା।
ଆମ ପୋଲିସ ସଦସ୍ୟମାନେ ନିଜ ନିଜ ବକ୍ତବ୍ୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ଗ୍ରାମବାସୀମାନେ ଚୋରା ମଦ ବ୍ୟବସାୟ ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ଏଥିରେ ରୋକ ଲଗାଇବାକୁ ଦାବି କରିଥିଲେ।
ବିଶେଷ କରି ପୋଲିସ ପକ୍ଷରୁ ପାଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଏଥିରେ ଅଧ୍ୟାପକ ସନ୍ତୋଷ ପଟ୍ଟନାୟକ, ଦାମୋଦର ଜେନା, ନାରାୟଣ ବେହେରା ପ୍ରମୁଖ ପୋଲିସ ସହିତ ସୁସମ୍ପର୍କ ରକ୍ଷାକରି ନିଜ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହିପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହେଶ୍ୱର ସୁତାର, ବିଶେଶ୍ୱର ସୁତାର, ଭକ୍ତ ଶେଖର ପେରେଇ, ଗୋପାଳ କୃଷ୍ଣ ସେନାପତି, ନୀଳମଣି ଜେନା, ପ୍ରହ୍ଲାଦ ଜେନାଙ୍କ ସମେତ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।