ସଚେତନତା ହିଁ ନିଦାନ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ବଢ଼ାଇ ଚାଲିଛି ସ୍ବାସ୍ଥ୍ୟ ସମସ୍ୟା। ଯେଉଁ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଶେଷଜ୍ଞମାନେ ଅଧିକ ବ୍ୟଗ୍ରତା ପ୍ରକାଶ କରୁଛନ୍ତି ସେଥିମଧ୍ୟରୁ ଷ୍ଟ୍ରୋକ୍‌ ଅନ୍ୟତମ। ଖାଦ୍ୟରେ ଅନିୟମିତତା ସହିତ ଶାରୀରିକ ଶ୍ରମର ଅଭାବ ଯୋଗୁ ରକ୍ତଚାପରେ ସମନ୍ବୟ ରହିପାରୁନି। ଫଳରେ ଷ୍ଟ୍ରୋକ୍‌ ଭଳି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ପୃଥିବୀର ବିକଶିତ ଦେଶରେ ଏଭଳି ସ୍ବାସ୍ଥ୍ୟଗତ ସମସ୍ୟା ଅଧିକ ହେଉଥିବା ଲକ୍ଷ୍ୟ କରାଯାଉଛି। ଏହା ଦ୍ୱାରା ମାନବସମ୍ବଳ ହାନି ହେବା ସହିତ ଆର୍ଥିକ କ୍ଷତିର ପରିମାଣ ବଢ଼ିଚାଲିଛି। ତେଣୁ ଷ୍ଟ୍ରୋକ୍‌ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ରେ ବିଶ୍ୱ ଷ୍ଟ୍ରୋକ୍‌ ଦିବସ ପାଳନ କରାଯାଉଛି। ଷ୍ଟ୍ରୋକ୍‌ର ଗୁରୁତର ସ୍ଥିତି, ଏହି ସମସ୍ୟାର ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।

୨୦୦୬ରେ ୱାଲର୍‌ଡ ଷ୍ଟ୍ରୋକ୍‌ ସଂଗଠନ (ଡବ୍ଲ୍ୟୁଏସ୍‌ଓ) ଦ୍ୱାରା ପ୍ରତିବର୍ଷ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର, ପୂର୍ବତନ ମିସ୍‌ ଇଜିପ୍ଟ ଡାଲିଆ ଏଲ ବେହେରେ ଏବଂ ସାଇକେଲ ଚାଳକ ଆଲବର୍ଟୋ କଣ୍ଟୋଡୋର ୱାଲର୍‌ଡ ଷ୍ଟ୍ରୋକ୍‌ ଅଭିଯାନର ଗୁଡ୍‌ଓ୍ବିଲ୍‌ ଆମ୍ବାସଡର ଭାବେ କାର୍ଯ୍ୟ କରୁଛନ୍ତି।

ଷ୍ଟ୍ରୋକ୍‌ ସାରା ବିଶ୍ୱରେ ଏକ ସଙ୍କଟ ସୃଷ୍ଟି ହୋଇଛି। ସମ୍ପ୍ରତି ଏହା ଅକ୍ଷମତାର ଏକ ପ୍ରମୁଖ ଏବଂ ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ପାଲଟିଛି। ୨୦୧୬ରେ ୧୧୬ ନିୟୁତ ଲୋକଙ୍କର ଏହାଯୋଗୁ ମୃତ୍ୟୁ ଘଟିଥିବା ନେଇ ଏକ ସର୍ବେକ୍ଷଣ ରିପୋର୍ଟରୁ ଜାଣିବାକୁ ମିଳିଛି।
ତେବେ ସଚେତନତା ଦ୍ୱାରା ଷ୍ଟ୍ରୋକ୍‌ର ନିଦାନ କରାଯାଇ ପାରିବ। ପ୍ରତିଦିନ ବ୍ୟାୟାମ, ଖାଦ୍ୟରେ ପନିପରିବାକୁ ସାମିଲ ସହିତ କମ୍‌ ପରିମାଣର ଲୁଣ ଖାଇଲେ ରକ୍ତଚାପ ସ୍ବାଭାବିକ ରହିଥାଏ। ଫଳରେ ଷ୍ଟ୍ରୋକ୍‌ ଭଳି ସମସ୍ୟାରୁ ସହଜରେ ଦୂରେଇ ରହିବା ସମ୍ଭବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।