Categories: ଫୁରସତ

ସଚେତନତା ଜରୁରୀ

ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜମ୍‌ ସଚେତନତା ଦିବସ ପାଳନ କରାଯାଏ। ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜମ୍‌ ଦ୍ୱାରା ପ୍ରଭାବିତ। ଭାରତରେ ଅଟିଜମ୍‌ର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛ। ଫଳରେ ଠିକ୍‌ ସମୟରେ ଏହି ରୋଗର ଲକ୍ଷଣ ଚିହ୍ନି ଉପଯୁକ୍ତକ ଚିକିତ୍ସା କରାଯାଇପାରୁ ନାହିଁ। ଅଟିଜମ୍‌ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବାବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ, ଭାବର ଆଦାନ ପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖାଯାଇଥାଏ। ଜିନ୍‌ଗତ ଓ ପରିପାର୍ଶ୍ୱିକ କାରଣଗୁଡ଼ିକ ଯୋଗୁ ଏହି ରୋଗ ଆରମ୍ଭ ହୋଇପାରେ।
ରୋଗରେ ୧ ବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନିଜ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ସେମାନେ ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହିପାରନ୍ତି ନାହିଁ। ୨୪ ମାସ ବୟସ ସୁଦ୍ଧା ୨ ଶବ୍ଦ ବିଶିଷ୍ଟ ବାକ୍ୟ କହିପାରନ୍ତି ନାହିଁ। ୧ ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ। ସେମାନେ ଅନ୍ୟମାନଙ୍କ ସହ ଆଖିରେ ଆଖି ମିଳାଇପାରନ୍ତି ନାହିଁ। ଏହି ପିଲାମାନେ ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଖେଳଣା ସହ ନ ଖେଳି ଘରକରଣା ଜିନିଷ ସହିତ ଖେଳନ୍ତ। ଅଟିଜମ୍‌ ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇ ଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇପାରେ କିମ୍ବା ଭାଷା ଅସ୍ବାଭାବିକ ହୋଇପାରେ। କଥାବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦର ଠିକ୍‌ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଅଟିଜମ୍‌ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖା ଯାଇଥାଏ। କେତେକ ନିର୍ଦ୍ଦିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି; ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡ଼ିବା, ଗୋଲ ଗୋଲ ହୋଇ ଘୂରିବା, କେତେକ ନିର୍ଦ୍ଦିଷ୍ଟ ଶବ୍ଦକୁ ବାରମ୍ବାର କହିବା ଇତ୍ୟାଦି।
ପ୍ରାରମ୍ଭିକ ଅବସ୍ଥାରେ ଅଟିଜମ୍‌ ରୋଗର ଲକ୍ଷଣକୁ ଚିହ୍ନି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଏଥିପାଇଁ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକିତ୍ସା ପଦ୍ଧତି (ସେନ୍‌ସୋରି ଇଣ୍ଟିଗ୍ରେସନ ଥେରାପି, ସ୍ପିଚ୍‌ ଥେରାପି) ସହିତ କେତେକ ଔଷଧ ବ୍ୟବହାର କରା ଯାଇଥାଏ। ଏହି ଚିକିତ୍ସା ପଦ୍ଧତି ଦ୍ୱାରା ପିଲାର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟିଥାଏ। ପିଲାର ବ୍ୟବହାରିକ ସମସ୍ୟା ନିମନ୍ତେ କେତେକ ଔଷଧ ବ୍ୟବହାର କରାଯାଇଥାଏ। ଅଭିଭାବକମାନେ ଧୈଯ୍ୟର ସହ ପିଲାର ଚିକିତ୍ସା କରାଇଲେ ଧୀରେ ଧୀରେ ତା’ର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ନୂତନ ଭିନ୍ନକ୍ଷମ ଆଇନ ଅନୁସାରେ ଅଟିଜମ୍‌ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଏବେ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଉଛି। ଫଳରେ ସେମାନେ ଅନେକ ମାତ୍ରାରେ ଉପକୃତ ହୋଇପାରୁଛନ୍ତ।
-ଡା. ସତ୍ୟକାମ ମହାପାତ୍ର,
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭

Share