ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ

ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି ଅବସ୍ଥାରେ କେତେକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ଗଣ୍ଠି ହାଡ଼ ମଝିରେ ଥିବା ଲିଗାମେଣ୍ଟର ନମନୀୟତା ହ୍ରାସ ପାଇବାରେ ଲାଗିଥାଏ। ଫଳରେ କାମ କରିବା ସମୟରେ ଯନ୍ତ୍ରଣା ହୋଇଥାଏ। ମାତ୍ର ସଚେତନତା ଏବଂ ସନ୍ତୁଳିତ ଆହାର ଦ୍ୱାରା ଏଭଳି ସମସ୍ୟାଠୁ ଦୂରେଇ ରହିବା ସମ୍ଭବ। ଅବଶ୍ୟ ଏହି ଶାରୀରିକ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୧୯୯୬ଠାରୁ ପ୍ରତିବର୍ଷ ଅକ୍ଟୋବର ୧୨ରେ ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ ପାଳନ କରାଯାଉଛି। ଏହି ଅବସରରେ ପୃଥିବୀରେ ଏଭଳି ସମସ୍ୟା ଭୋଗୁଥିବା ଲୋକଙ୍କ ଜୀବନକୁ ସହଜ କରିବା ଲାଗି ଚେଷ୍ଟା କରାଯାଇଥାଏ। ଆର୍ଥ୍ରାଇଟିସ୍‌ରେ ୧୦୦ରୁ ଅଧିକ ପ୍ରକାରର ଶାରୀରିକ ଅବସ୍ଥାକୁ ବର୍ଗୀକୃତ କରାଯାଇଛି। ତେବେ ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରତିଦିନ କିଛି ସହଜ ବ୍ୟାୟାମ ସହିତ ସନ୍ତୁଳିତ ଖାଦ୍ୟ ପ୍ରତି ଗୁରୁତ୍ୱ ପ୍ରଦାନର ଆବଶ୍ୟକତା ରହିଛି।