ଅମୃତଭଣ୍ଡା ସହ ଏହି ଖାଦ୍ୟ ମନା…

ଅମୃତଭଣ୍ଡା ଖାଇବାକୁ ଅନେକେ ଭଲପାଆନ୍ତି। ଏହା କେବଳ ସ୍ବାଦିଷ୍ଠ ନୁହେଁ, ବରଂ ଏଥିରେ ଭରି ରହିଛି ଅନେକ ପୋଷକତତ୍ତ୍ୱ। ହେଲେ ଆପଣ ଜାଣନ୍ତିକି ଏହା ସହ କେତେକ ଖାଦ୍ୟ ଖାଇବା ଦ୍ୱାରା ଏହାର ଗୁଣବତ୍ତା ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା ବି ଉପୁଜିପାରେ। ଜାଣିରଖନ୍ତୁ କେଉଁ ଖାଦ୍ୟ ଅମୃତଭଣ୍ଡା ସହ ଖାଇବା ଠିକ୍‌ ନୁହେଁ…

କ୍ଷୀର : ଫ୍ରୁଟ୍‌ ସେକ୍‌ ପିଇବାକୁ ଅନେକେ ବହୁତ ଭଲପାଆନ୍ତି, ଯାହାକୁ ପ୍ରସ୍ତୁତ କରିବା ଲାଗି ଫଳକୁ କ୍ଷୀର ସହ ମିଶାଇ ଗ୍ରାଇଣ୍ଡିଂ କରାଯାଏ। ହେଲେ ଆପଣ ଜାଣନ୍ତିକି, କ୍ଷୀର ସହ ଅମୃତଭଣ୍ଡା ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇପାରେ। କାରଣ ଏହାଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍‌, ବଦହଜମି, କୋଷ୍ଟକାଠିନ୍ୟ ଏବଂ କେବେକେବେ ଝାଡ଼ାବାନ୍ତି ଭଳି ସମସ୍ୟା ବି ଉପୁଜିପାରେ।

ଦହି: କେବଳ କ୍ଷୀର ନୁହେଁ, ଦହି ବି ଏହା ସହ ଖାଇବା ଠିକ୍‌ ନୁହେଁ। ଆୟୁର୍ବେଦ ଅନୁଯାୟୀ ଅମୃତଭଣ୍ଡା ଗରମ ଓ ଦହି ଥଣ୍ଡା ହୋଇଥିବାରୁ ଏହି ଦୁଇଟି ଖାଦ୍ୟ ମିଶାଇ ଖାଇବା ଦ୍ୱାରା ଥଣ୍ଡା, କଫ, ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ। ତେଣୁ ଅମୃତଭଣ୍ଡା ଖାଇବାର ଅତିକମ୍‌ରେ ଏକ ଘଣ୍ଟା ପରେ ଦହି ଖାଆନ୍ତୁ।

କମଳା ଏବଂ ଲେମ୍ବୁ: ଫ୍ରୁଟ୍‌ ଚାଟ୍‌ରେ ସବୁ ଫଳ ଏକାଠି ଖାଇବାକୁ କିଏ ବା ଭଲ ନ ପାଏ! କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିଛି ଫଳ ଏମିତି ଅଛି, ଯାହାକୁ ଅନ୍ୟ ଫଳ ସହ ଖାଇବା ସ୍ବାସ୍ଥ୍ୟକର ନୁହେଁ। ଠିକ୍‌ ଯେମିତି ଅମୃତଭଣ୍ଡା ସହ କମଳା କିମ୍ବା ଲେମ୍ବୁ ଆଦି ଖଟା ଫଳ ଖାଇବା ଭଲ ନୁହେଁ। କାରଣ ଏଭଳି ଫଳରେ ଥିବା ସାଇଟ୍ରିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ସି ଅମୃତ ଭଣ୍ଡା ସହ ମିଶିବା ପରେ ହଜମ ସମସ୍ୟା ସୃଷ୍ଟି କରିଥାଏ। ଏହା ଏସିଡିଟି, ଛାତି ପୋଡ଼ିବା, ପାକସ୍ଥଳୀରେ ଯନ୍ତ୍ରଣା ଆଦି ସମସ୍ୟାର କାରଣ ସାଜିପାରେ।

କଲରା: ଅମୃତଭଣ୍ଡାରେ ଜଳୀୟ ଅଂଶ ଭରପୂର ମାତ୍ରାରେ ଥିବାରୁ ଏହା ଶରୀରକୁ ହାଇଡ୍ରେଟ୍‌ ରଖିଥାଏ। କିନ୍ତୁ କଲରା ଅତ୍ୟନ୍ତ ପିତା ହେବା ସହ ଏହା ଶରୀରରୁ ଜଳୀୟାଂଶ ଶୋଷି ନେଇଥାଏ। ତେଣୁ ଏହି ଦୁଇଟି ଖାଦ୍ୟ ଏକାଠି ଖାଇବା ଦ୍ୱାରା ଡିହାଇଡ୍ରେଶନ୍‌ ସମସ୍ୟା ଉପୁଜିପାରେ। ତେଣୁ ଏହି ଦୁଇଟି ଖାଦ୍ୟ ଏକାଠି ନ ଖାଇବା ଭଲ।