ରିଲିଜର ଦୁଇ ସପ୍ତାହ ପରେ ବି କମିନି କ୍ରେଜ୍‌, ଭାରତରେ ୨୫୦ କୋଟି ବ୍ୟବସାୟ କଲାଣି ‘ଅବତାର ୨’ !

ବମ୍ବେ: ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ହେଁ ଭଲ ବ୍ୟବସାୟ କରୁଛି ହଲିଉଡ ଫିଲ୍ମ ‘ଅବତାର: ଦ ଓ୍ବେ ଅଫ୍‌ ଓ୍ବାଟର’। କାହାଣୀର ପୃଷ୍ଠଭୂମୀ ରୋମାଞ୍ଚକର ହୋଇଥିବାରୁ ସିନେମାଘରଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ରବିବାର ଫିଲ୍ମଟି ୨୫-୨୬ କୋଟି କଲେକ୍ସନ କରିଛି। ଏହାପୂର୍ବରୁ ଶୁକ୍ରବାର ଏହା ପ୍ରାୟ ୧୩ କୋଟି ଏବଂ ଶନିବାର ୨୧ କୋଟିରୁ ଅଧିକ ରୋଜଗାର କରିଥିଲା। ଏହି ଅନୁପାତ ଦେଖିଲେ କ୍ରିସମାସ୍‌ ଛୁଟିର ଲାଭ ମିଳିଥିବା ସ୍ପଷ୍ଟ ହୋଇଛି। ‘ଅବତାର ୨’ ଏବେ ବକ୍ସ ଅଫିସରେ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ପାଲଟିଛି।

ତେବେ ୧୩ ବର୍ଷ ପୂର୍ବେ ରିଲିଜ ହୋଇଥିଲା ‘ଅବତାର’। ଫିଲ୍ମଟି ଭାରତରେ ୧୦୦ କୋଟିରୁ ଅଧିକ ରୋଜଗାର କରିଥିଲା। ସେତେବେଳେ ସମୟରେ ଏହି ମାର୍ଜିନ ଛୁଇଁବା ସହଜ ନ ଥିଲା। କାରଣ ଅନେକ ଭାରତୀୟ ଫିଲ୍ମ ସେଯାଏ ପହଞ୍ଚି ପାରୁ ନ ଥିଲେ। ଏବେ କିନ୍ତୁ ‘ଅବତାର-୨’ ଭାରତରେ ଜବରଦସ୍ତ ରୋଜଗାର କରୁଛି। ଆଗାମୀଦିନରେ ଏହା ବ୍ୟବସାୟରେ ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି।

ରିଲିଜର ପ୍ରଥମ ଦିନ ଏହା ୪୦ କୋଟି ଟଙ୍କା ବ୍ୟବସାୟ କରିଥିଲା ବେଳେ ପ୍ରଥମ ସପ୍ତାହରେ ୧୨୫ କୋଟି ଟଙ୍କାରୁ ଅଧିକ କମାଇ ଥିଲା। ମୋଟ କଲେକ୍ସନ ଦେଖିଲେ ଏହା ୧୯୦ ଟଙ୍କା ରୋଜଗାର କରିଥିଲା। ସେହିଭଳି ଦ୍ୱିତୀୟ ସପ୍ତାହରେ ଏହା ୬୦ କୋଟିରେ ପହଞ୍ଚିଥିବା ଦେଖାଯାଉଛି। ଶେଷ କଲେକ୍ସନ ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Share