ପୁଣି ମହେନ୍ଦ୍ରଗିରିରେ ଦୁର୍ଘଟଣା: ମେଳାରୁ ଫେରୁଥିବା ଘାଟି ତଳକୁ ଖସିଲା ଅଟୋ : ୬ରୁ ଅଧିକ ଆହତ

ଗଜପତି, ୯।୬ (ଗିରିଧାରୀ ପରିଛା): ଗଜପତି ଜିଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଅଞ୍ଚଳରେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି। ଗତ ତିନି ଦିନ ମଧ୍ୟରେ ମହେନ୍ଦ୍ରଗିରି ପର୍ବତମାଳାର ପାଦଦେଶରେ ଏକାଧିକ ଦୁର୍ଘଟଣା ଘଟିଥିବା ବେଳେ ଆଜି ପୁଣି ଏକ ଅଟୋ ଦୁର୍ଘଟଣାରେ ୬ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବୁରୁଖତ–କଇଁପୁର ରାସ୍ତାର ବଡମାସିଂ ଗ୍ରାମ ନିକଟରେ ଏକ ଅଟୋରିକ୍ସା ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା। ଏଥିରେ ଅଟୋରେ ଥିବା ୬ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତମାନେ ସମସ୍ତେ ଗଜପତି ଜିଲା ରାୟଗଡ଼ ବ୍ଲକର ବୁରୁଜାଙ୍ଗ ଅଞ୍ଚଳର ବାସିନ୍ଦା ଏବଂ ଏକେ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ମହେନ୍ଦ୍ର ପୁରୁଷୋତ୍ତମ ମେଳାର ଶେଷ ଦିନରେ ମହାଯଜ୍ଞର ପୂର୍ଣ୍ଣାହୁତି ଦେଖିବା ପାଇଁ ବୁରୁଜାଙ୍ଗ ଗ୍ରାମର ଅଟୋଚାଳକ ତଥା ମାଲିକ ରାଙ୍ଗା ଘାଣ୍ଟା ନିଜ ପରିବାର ସଦସ୍ୟଙ୍କୁ ନେଇ ମହେନ୍ଦ୍ରଗିରି ମେଳାକୁ ଯାଇଥିଲେ। ମେଳା ଦେଖି ଫେରୁଥିବା ସମୟରେ ବଡମାସିଂ ଗ୍ରାମ ନିକଟର ଏକ ବୁଲାଣିଆ ରାସ୍ତାରେ ହଠାତ୍ ଅଟୋର ବ୍ରେକ୍ ଫେଲ୍ ହୋଇଯାଇଥିଲା। ଫଳରେ ଚାଳକ ଅଟୋ ଉପରୁ ନିୟନ୍ତ୍ରଣ ହରାଇବା ସହ ଗାଡ଼ିଟି ଘାଟି ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା ଶ୍ରଦ୍ଧାଳୁ ଓ ପଥଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଅନ୍ୟ ଏକ ଅଟୋ ଯୋଗେ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଆହତ ଅଟୋଚାଳକ ରାଙ୍ଗା ଘାଣ୍ଟାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ମହେନ୍ଦ୍ରଗିରି ଅଞ୍ଚଳରେ ଘଟୁଥିବା ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ବିଶେଷକରି ଘାଟି ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଦାବି ଉଠିଛି।

Share