ଦିଗପହଣ୍ଡି,୨ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ସୋମବାର ଅପରାହ୍ନରେ ନୀଳକଣ୍ଠ ନାମକ ଘରୋଇ ଯାତ୍ରୀବାହୀ ବସ୍ (ନଂ. ଓଡି୦୭-୩୭୧୦) ପଛରେ ଏକ ଯାତ୍ରୀବାହୀ ଅଟୋ (ନଂ. ଓଡି ୦୭ ଟି-୪୧୬୫) ଧକ୍କା ଦେବାରୁ ଅଟୋ ଚାଳକ ଗୁରୁତର ହୋଇଛନ୍ତି। ଆହାତ ଅଟୋ ଚାଳକ ଜଣକ ହେଲେ ଦିଗପହଣ୍ଡିର କୃଷ୍ଣ ଗୌଡ଼। ତାଙ୍କ ମୁହଁରେ ଶକ୍ତ ଆଘାତ ଲାଗିଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯାତ୍ରୀବାହୀ ବସ୍ଟି ବସଷ୍ଟାଣ୍ଡ ନିକଟରେ ଅଟକି ଥିଲା। ଯାତ୍ରୀମାନେ ବସ୍ରୁ ଓହ୍ଲାଉ ଥିବାବେଳେ ଅଟୋ ଚାଳକ ନିୟନ୍ତ୍ରଣ ହରାଇ ବସ୍ର ପଛ ଭାଗକୁ ଜୋର୍ରେ ଧକ୍କା ଦେଇଥିଲେ। ଅଟୋର ସମ୍ମୁଖ ଭାଗ ଭାଙ୍ଗି ରୁଜି ଯାଇଛି। ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

