ଗୋପାଳପୁର,୧୨ା୧(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଅଶୋକ ଦାସ (୪୦)।
ମିଳିଥିବା ସୂଚନା ମୁତାବକ, ଗତ ୮ ତାରିଖରେ ଏହି ଥାନା ଅଧୀନସ୍ଥ ଏକ ଗ୍ରାମରେ ନାବାଳିକା ବାପାଙ୍କ ଦେହ ଅସୁସ୍ଥ ହେବା ପରେ ସେହି ଗ୍ରାମର ଅଶୋକ ଅଟୋରେ ନାବାଳିକା ଛାତ୍ରୀଙ୍କ ପରିବାର ଲୋକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ମା’ ଓ ବାପା ମେଡିକାଲରେ ରହିଥିଲେ। ହେଲେ ମା’ ନାବାଳିକା ଝିଅଙ୍କୁ ଅଟୋ ଯୋଗେ ଘରକୁ ଯିବା ପାଇଁ କହିଥିଲେ।
ଅଟୋ ଚାଳକ ଅଶୋକ ଏବଂ ନାବାଳିକା ଗାଁକୁ ଫେରୁଥିବା ବେଳେ ଗ୍ରାମ ନିକଟ ଏକ ନିଛାଟିଆ ସ୍ଥାନରେ ଅଶୋକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ସେତିକିବେଳେ ଜଣେ ପଥଚାରି ନାବାଳିକାଙ୍କୁ ଉଦ୍ଧାର କରି ଗାଁକୁ ନେଇ ଛାଡ଼ିଥିଲେ। ଘଟଣାକୁ ନେଇ ନାବାଳିକା ମା’ ଗୋଳନ୍ଥରା ଥାନାରେ ଏକ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ .୧୪/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ଅଶୋକଙ୍କ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ପୋଲିସ ଅଶୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


