ଶ୍ରୀଲଙ୍କା ପରିସ୍ଥିତି ଜଟିଳ: ପୁଣି ଲାଗିଲା କର୍ଫ୍ୟୁ

କଲମ୍ବୋ,୧୪।୭: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡିବା ପରେ ଦେଶରେ ରାଜନୈତିକ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ରାଷ୍ଟ୍ରପତି ଏବଂ ସରକାରଙ୍କ ବିରୋଧରେ ବ୍ୟାପକ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାର ପଶ୍ଚିମ ପ୍ରଦେଶରେ କର୍ଫ୍ୟୁ ଲଗାଇ ଦିଆଯାଇଥିଲା। ଅବଶ୍ୟ ପରେ ଏହା ଉଠାଇ ଦିଆଯାଇଥିଲା।
ସେପଟେ ଶ୍ରୀଲଙ୍କାରେ ଅଶାନ୍ତ ପରିସ୍ଥିତିକୁ ନେଇ ଗତକାଲି ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କୁ ପଦ ଛାଡିବାକୁ କୁହାଯାଇଥିବା ବେଳେ ବାଚସ୍ପତିଙ୍କୁ ଶାସନ ଭାର ନେବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପଟେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମାଳଦ୍ୱୀପରୁ ଏକ ପ୍ରାଇଭେଟ୍‌ ବିମାନ ଯୋଗେ ସିଙ୍ଗାପୁର ଯିବାକୁ ପ୍ରସ୍ତୁତ ହେଉଛନ୍ତି।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଏପରିକି ରାଷ୍ଟ୍ରପତି ଭବନକୁ ନିଜ ଦଖଲକୁ ନେଇଥିଲେ ବିକ୍ଷୋଭକାରୀ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ସେନା ବିମାନରେ ନିଜ ପରିବାର ସହ ଦେଶ ଛାଡି ପଳାଇଛନ୍ତି।

Share