ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ ପାଦ୍ରିଙ୍କ ସହ ଛୁରାମାଡ଼ ଘଟଣାର ଭିଡିଓ ହଟାଇ ନ ଥିବାରୁ ଆଲବାନ ମସ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କିଛି ଦିନ ପୂର୍ବରୁ ଅଷ୍ଟ୍ରେଲିଆର ସିଡନୀରେ ଥିବା ଏକ ଚର୍ଚ୍ଚରେ ଏକ ଛୁରାମାଡ଼ ଘଟଣା ଘଟିଥିଲା। ଏଠାରେ ଜଣେ ୧୬ ବର୍ଷର ବାଳକ ଇସଲାମକୁ ସମାଲୋଚନା କରିବା ଅଭିଯୋଗରେ ଜଣେ ପାଦ୍ରିଙ୍କୁ ଛୁରୀରେ ହତ୍ୟା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଅଷ୍ଟ୍ରେଲିଆର ଟେଲି ଯୋଗାଯୋଗ ନିୟାମକମାନେ ଏକ୍ସକୁ ଏହି ଭିଡିଓ ସହ ଜଡିତ କିଛି ପୋଷ୍ଟ ଏବଂ କମେଣ୍ଟ ହଟାଇବାକୁ କହିଥିଲେ।
ତେବେ ଏକ୍ସ ଏହି ପ୍ରସଙ୍ଗରେ ପଦକ୍ଷେପ ନ ନେବା ପରେ ଅଷ୍ଟ୍ରେଲିଆ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଟେଲିକମ ନିୟାମକଙ୍କ ଆଦେଶ ପାଳନ କରିବାକୁ କହିଥିଲେ। ପରେ, ଏହି ଭିଡିଓକୁ ଏହାର ପ୍ଲାଟଫର୍ମରୁ ସଂପୂର୍ଣ୍ଣ ହଟାଇବା ପରିବର୍ତ୍ତେ, ଏକ୍ସ ଏହାକୁ କେବଳ ଅଷ୍ଟ୍ରେଲିଆରେ ଅବସ୍ଥିତ ୟୁଜର୍ସମାନଙ୍କ ପାଇଁ ହଟାଇ ଥିଲା। ଏକ୍ସର ଯୁକ୍ତି ଥିଲା ଯେ ଅଷ୍ଟ୍ରେଲିଆ ସରକାର ସମଗ୍ର ବିଶ୍ୱରେ ପ୍ରଦର୍ଶିତ ବିଷୟବସ୍ତୁ ଉପରେ ଅବାଧ୍ୟତା ପ୍ରୟୋଗ କରିପାରିବେ ନାହିଁ।
ଏହା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକ୍ସ ମାଲିକ ଏଲନ ମସ୍କଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ସୋସିଆଲ ମିଡିଆ କମ୍ପାନୀଗୁଡିକ ଦାୟୀ ହେବା ଉଚିତ, କିନ୍ତୁ ଏହି ହିଂସା ଭରପୂର ବିଷୟବସ୍ତୁକୁ ନିଜ ପ୍ଲାଟଫର୍ମରେ ରଖିବା ପାଇଁ ମସ୍କ ସଂଗ୍ରାମ କରୁଛି। ଏହି ଅହଂକାରୀ କୋଟିପତିଙ୍କ ସହ ମୁକାବିଲା କରିବା ପାଇଁ ଯାହା ଆବଶ୍ୟକ, ଆମେ ତାହା କରିବୁ ଯିଏ ଭାବନ୍ତି ଯେ ସେ ଆଇନ ଏବଂ ସାଧାରଣ ଶାସନଠାରୁ ଊର୍ଦ୍ଧ୍ୱରେ ଅଛନ୍ତି।

Share