ବିଶ୍ୱକପ ଫାଇନାଲ ୨୦୨୩: ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ, ୧୭।୧୧: ଚାଲିଥିବା ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ହେଭିୱେଟ୍ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ ରବିବାର ଦିନ ଅହମ୍ମଦାବାଦରେ ମୁହାଁମୁହିଁ ହେବେ। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବାବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ନିମନ୍ତ୍ରଣ କରାଯାଇଛି।

୨୦୦୩ ପରେ ଦ୍ୱିତୀୟ ଥର ଦୁଇ ଟିମ୍ ବିଶ୍ୱକପ ଫାଇନାଲରେ ଭେଟାଭେଟି ହେବେ। ୨୦ ବର୍ଷ ତଳେ ଭାରତ ହାରି ହାଇଥିବା ବେଳେ ଚଳିତ ଥର ଏହାର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ। ସେ ସମୟରେ ସୌରଭ ଗାଙ୍ଗୁଲି ଭାରତର ଅଧିନାୟକ ଥିବା ବେଳେ ରିକି ପଣ୍ଟିଂ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପହଞ୍ଚିଥିଲା। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ଫାଇନାଲ ଆସିଛି।
ଫାଇନାଲ ପୂର୍ବରୁ ଦୁଇ ଦଳ ଲିଗ ପର୍ଯ୍ୟାୟରେ ଚେନ୍ନାଇର ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ୍‌ର ପଞ୍ଚମ ଗେମ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା।

 

Share