Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ : ଜୋକୋଭିଚ୍‌ – ମେଡଭେଡେଭ ଫାଇନାଲ

ମେଲବୋର୍ନ,୨୦।୨(ପି.ଟି.): ଚଳିତ ଅଷ୍ଟ୍ରେଲିଆନ୍‌ ଓପନ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ସର୍ବିୟାର ଟପ୍‌ ସିଡ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ଚତୁର୍ଥ ସିଡ୍‌ ରୁଷିଆରେ ଡାନିଲି ମେଡଭେଡେଭ ପରସ୍ପରକୁ ଭେଟିବେ। ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଜୋକୋଭିଚ ୬-୩, ୬-୪, ୬-୨ ସେଟ୍‌ରେ ରୁଷିଆ କ୍ୱାଲିଫାୟର ଅସଲାନ କାରାଶେଭଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ଅନ୍ୟପଟେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ମେଡେଭେଡେଭ ୬-୪, ୬-୨, ୭-୫ ସେଟ୍‌ରେ ପଞ୍ଚମ ସିଡ୍‌ ଗ୍ରୀସ୍‌ର ଷ୍ଟିଫାନୋସ ସିତିସପାସଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।
ସ୍ଥାନୀୟ ରଡ ଲେଭର ଏରିନାରେ ୭,୦୦୦ ଦର୍ଶକଙ୍କ ସାମ୍ନାରେ ୨୫ ବର୍ଷୀୟ ମେଡଭେଡେଭ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ। ମେଡଭେଡେଭ ପୂର୍ବରୁ ୨୦୧୯ରେ ୟୁଏସ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ଏପର୍ଯ୍ୟନ୍ତ ୧୭ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଜୋକୋଭିଚ୍‌ ଏଥର ଫାଇନାଲରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ମେଡେଭେଡେ ଏବେ ପୂରା ଫର୍ମରେ ଅଛନ୍ତି ଓ ବିଜୟ ମୁମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛନ୍ତି। ଏପର୍ଯ୍ୟନ୍ତ ମେଡଭେଡେଭ କ୍ରମାଗତ ୨୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି। ଏହି ବିଜୟଧାରା ମଧ୍ୟରେ ସେ ଟପ୍‌-୧୦ରେ ଥିବା ୧୨ଜଣ ଖେଳାଳିଙ୍କୁ ହରାଇ ୩ଟି ଟ୍ରଫି ହାସଲ କରିଛନ୍ତି। ସମ୍ପୂର୍ଣ୍ଣ ରୂପେ ପ୍ରଭାବ ବିସ୍ତାର କରି ମେଡେଭେଡେଭ ଖେଳିଥିଲେ ଓ ସିତିସ୍‌ପାସ୍‌ଙ୍କୁ ହରାଇଥିଲେ। ସିତିସ୍‌ପାସ କ୍ୱାର୍ଟରରେ ଦ୍ୱିତୀୟ ସିଡ୍‌ ସ୍ପେନର ରାଫାଲ ନାଡାଲଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ। ସେହିପରି ମେଡଭେଡେଭ କ୍ୱାର୍ଟରରେ ସପ୍ତମ ସିଡ୍‌ ଖେଳାଳି ନିଜର ଦେଶର ଆନ୍ଦ୍ରେ ରୁବ୍ଲେଭଙ୍କୁ ପରାସ୍ତ କରିଥିଲେ। ଫାଇନାଲରେ ଜୋକୋଭିଚ୍‌ଙ୍କ ଉପରେ ଚାପ ରହିବ ବୋଲି ଏପର୍ଯ୍ୟନ୍ତ ଦୁଇଟି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ମେଡଭେଡେଭ କହିଛନ୍ତି।

Share