Categories: ଖେଳ

ଭାରତୀୟ ରୀତିନୀତିରେ ବିବାହ କରିବେ ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ,୧୫।୨:ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଖୁବ ଶୀଘ୍ର ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଭାରତୀୟ ଯୁବତୀ ଭିନି ରମଣଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାମିଲରେ ଲେଖାଯାଇଥିବା ମ୍ୟାକ୍ସୱେଲଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୩୩ ବର୍ଷୀୟ ମ୍ୟାକ୍ସୱେଲ ମାର୍ଚ୍ଚ ୨୦୨୦ ରେ ଭିନିଙ୍କ ସହ ନିର୍ବନନ୍ଧ କରିଥିଲେ। କିନ୍ତୁ ଲକଡାଉନ ଯୋଗୁ ତାଙ୍କୁ ବିବାହ ରୋକିବାକୁ ପଡିଥିଲା। ମ୍ୟାକ୍ସୱେଲ ଏବଂ ଭିନିଙ୍କ ବିବାହ ମାର୍ଚ୍ଚ ୨୭ରେ ମେଲବୋର୍ନରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି।
ଭିନିଙ୍କ ପରିବାର ଅଷ୍ଟ୍ରେଲିଆରେ ରୁହନ୍ତି। ସେ ଭିକ୍ଟୋରିଆର ମେଣ୍ଟନ ବାଳିକା ମାଧ୍ୟମିକ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେ ମେଡିକାଲ ସାଇନ୍ସରେ ଅଧ୍ୟୟନ ସମାପ୍ତ କରିଛନ୍ତ। ଭିନି ରମଣ ନିଜେ ଏକ ପୋଷ୍ଟ କରି ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ କହିଥିଲେ। ଡିସେମ୍ବର ୨୦୧୩ରେ ମେଲବୋର୍ନ ଷ୍ଟାର୍ସ ଇଭେଣ୍ଟରେ ଦୁହେଁ ସାକ୍ଷାତ ହୋଇଥିଲେ। ୨୦୧୭ରୁ ମ୍ୟାକ୍ସୱେଲ ଏବଂ ଭିନି ପରସ୍ପରକୁ ଡେଟ କରୁଛନ୍ତି।
ଆଇପିଏଲର ୧୫ତମ ସିଜନ ମଧ୍ୟ ମାର୍ଚ୍ଚ ୨୭ରୁ ଆୟୋଜିତ ହେବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ମ୍ୟାକ୍ସୱେଲ ଆଇପିଏଲର ପ୍ରଥମ କିଛି ମ୍ୟାଚରୁ ବାଦ୍‌ ପଡିପାରନ୍ତି।

Share