Categories: ଖେଳ

ଏହି କ୍ରିକେଟର୍‌ଙ୍କ ନାଁରେ ଆସି ସାଂଘାତିକ ଅଭିଯୋଗ: ହେଲେ ଗିରଫ

ସିଡନୀ,୧୮।୫: ଅଷ୍ଟ୍ରେଲିଆ କ୍ରିକେଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଆରୋନ ସମର୍ସ ଶିଶୁ ଯୌନ ଅପରାଧ ଅଭିଯୋଗରେ ଗିରଫ ହୋଇଛନ୍ତି। ପୋଲିସ ତାଙ୍କୁ ଗିରଫ କରି ସୋମବାର ଡାରୱିନ କୋର୍ଟରେ ହାଜର କରାଯାଇଥିଲା। ସମ୍ପ୍ରତି ସମର୍ସ ଆବୁଧାବି ଟି୧୦ ଲିଗରେ ଡେକାନ ଗ୍ଲାଡିଏଟର୍ସ ପାଇଁ ଖେଳିଥିଲେ। ଫ୍ୟାନି ବେ ଅଞ୍ଚଳରୁ ଆରୋନ ସମର୍ସଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ଫୋନ ଜବତ କରାଯାଇଥିଲା। ଅଭିଯୋଗ ହୋଇଛି ଯେ, ସମର୍ସଙ୍କ ଫୋନରୁ ପିଲାମାନଙ୍କର ଯୌନ ଶୋଷଣର ଭିଡିଓ ଏବଂ ଫଟୋ ଦେଖିବାକୁ ମିଳିଛି। ଆରୋନ ସମର୍ସଙ୍କ ବିରୋଧରେ ଏହି ଗୁରୁତର ଅଭିଯୋଗ ପରେ କୋର୍ଟ ତାଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ। ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ଯେ ପିଲାମାନଙ୍କୁ ନିର୍ଭୟରେ ଜୀବନ ବଞ୍ଚିବାର ଅଧିକାର ଅଛି, ସେମାନଙ୍କ ମଧ୍ୟରେ ଏଭଳି ପିଶାଚ ବ୍ୟକ୍ତିଙ୍କ ଭୟ ରହିବ ଉଚିତ୍‌ ନୁହେଁ। ଆରୋନ ସମର୍ସ ବିଗ ବ୍ୟାସ ଲିଗରେ ହୋବର୍ଟ ହରିକାନ୍ସ ପାଇଁ ଖେଳିଛନ୍ତି। ଏଥିସହ ସେ ତସମାନିଆ ପାଇଁ ଏକ ଦିନିକିଆ କପ ମଧ୍ୟ ଖେଳିଛନ୍ତି। ସେ ପାକିସ୍ତାନରେ ଘରୋଇ କ୍ରିକେଟ ଖେଳିଥିବା ପ୍ରଥମ ଅଷ୍ଟ୍ରେଲୀୟ ଖେଳାଳି ହୋଇଥିଲେ।

Share