Categories: ଖେଳ

ସଚିନଙ୍କୁ କହିଲେନି ‘ସାର୍‌’

ନୂଆଦିଲ୍ଲୀ,୩୦।୭: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଦଶ ବର୍ଷ ବିତିଲାଣି। ହେଲେ ପ୍ରଶଂସକ ଏବେ ବି ତାଙ୍କର ଝଲକ ପାଇବାକୁ ଅପେକ୍ଷା କରିଥାନ୍ତି। ତାଙ୍କର ଗୋଟିଏ ଗୋଟିଏ ଟୁଇଟ୍‌ ଉପରେ ସମସ୍ତଙ୍କ ନଜର ରହିଥାଏ। ଏବେ ସଚିନଙ୍କ ସେଭଳି ଏକ ଟୁଇଟ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟଗୋଷ୍ଠୀ କ୍ରିଡାରେ କ୍ରିକେଟ ସାମିଲ ହେବାକୁ ନେଇ ସଚିନ ଏକ ଟୁଇଟ୍‌ କରିଥିଲେ। ଏଥିରେ ଅଷ୍ଟ୍ରେଲିଆ ଓପନର ମାର୍ନସ୍‌ ଲାବୁସାଗ୍ନେ ଦେଇଥିବା ପ୍ରତିକ୍ରିୟା ସଚିନଙ୍କ ପ୍ରଶଂସକଙ୍କୁ ଆଘାତ ଦେଇଛି।

ସଚିନ ଟୁଇଟ୍‌ରେ କହିଥିଲେ, ‘ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ ପୁଣି ଥରେ ସାମିଲ ହୋଇଥିବା ଦେଖି ଖୁସି ଲାଗୁଛି। ଆଶା କରୁଛି ଏହି ସୁନ୍ଦର ଖେଳକୁ ନୂଆ ଦର୍ଶକ ମିଳିବେ। ଭାରତୀୟ ମହିଳା ଟିମ୍‌କୁ ରାଜ୍ୟଗୋଷ୍ଠୀ କ୍ରିଡାରେ ଯାତ୍ରା ଲାଗି ହାର୍ଦ୍ଦିକ ଶୁଭେଚ୍ଛା।’ଏହି ଟୁଇଟ୍‌ ତଳେ ଅଷ୍ଟ୍ରେଲିଆ ଓପନର୍‌ ମାର୍ନସ କମେଣ୍ଟ କରି କହିଥିଲେ, ‘ତୁମ କଥାରେ ସହମତ ସଚିନ। ଅଷ୍ଟ୍ରେଲିଆ ବନାମ ଭାରତର ମ୍ୟାଚ୍‌ ସୁନ୍ଦର ଓପନିଂ ମୁକାବିଲା ହେବ।’

ମାର୍ନସଙ୍କ ଏହି ଟୁଇଟ୍‌ ସଚିନଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସି ନ ଥିଲା। କାରଣ ସେ ସଚିନଙ୍କୁ ସାର୍‌ କହି ସମ୍ବୋଧନ କରି ନ ଥିଲେ। ଏହାକୁ ନେଇ ସେମାନେ ଖପ୍ପା ହୋଇ ଲଗାତାର ଭାବେ ଭତ୍ସନା କରୁଛନ୍ତି। ଯେତେବେଳେ ସଚିନ ଖେଳୁଥିଲେ ସେତେବେଳେ ତୁମେ ଶିଶୁ ଥିଲ। ଏଥିପାଇଁ ତାଙ୍କୁ ସାର୍‌ ବୋଲି କୁହ ବୋଲି ଜଣେ ପ୍ରଶଂସକ କହିଛନ୍ତି। ସେହିଭଳି ଆଉ ଅନେକ ତୁମକୁ ବରିଷ୍ଠ କ୍ରିକେଟରଙ୍କ ସହ କଥା କିଭଳି ହେବାକୁ ହୁଏ ତାହା ଜଣା ନ ଥିବା କହିଛନ୍ତି।

Share