Categories: ଜାତୀୟ

୧୬ କୋଟିର କଳାକୃତି ଫେରାଇବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ, ୩୦ା୭: ଅଷ୍ଟ୍ରେଲିଆର ନ୍ୟାଶନାଲ ଗ୍ୟାଲେରି ଚୋରି ହୋଇଥିବା ତଥା ବେଆଇନ ଭାବେ ଚାଲାଣ ହୋଇଥିବା କଳାକୃତି ଭାରତକୁ ଫେରାଇବ। ସେଥିମଧ୍ୟରେ ଅନେକ ଚିତ୍ର ଓ ମୂର୍ତ୍ତି ରହିଥିବାବେଳେ କେତେକ ଦ୍ୱାଦଶ ଶତାବ୍ଦୀର ଏବଂ ଏହାର ମୂଲ୍ୟ ପ୍ରାୟ ୧୬.୩୪ କୋଟି ଟଙ୍କା ହେବ। କଳାକୃତିଗୁଡ଼ିକ ଭାରତୀୟ ଲୋକଙ୍କ ନିକଟକୁ ଫେରିଯିବା ଏକ ଆଶ୍ୱସ୍ତିକର କଥା ଏବଂ ଇତିହାସର ଏକ ଜଟିଳ ଅଧ୍ୟାୟ ବନ୍ଦ କରିବାକୁ ନ୍ୟାଶନାଲ ଗ୍ୟାଲେରି ସଂକଳ୍ପବନ୍ଧ ବୋଲି ମ୍ୟୁଜିୟମ ନିର୍ଦ୍ଦେଶକ ନିକ୍‌ ମିତ୍‌ଜେଭିକ୍‌ କହିଛନ୍ତି। ଆଉ ମାସେ ଦୁଇ ମାସ ମଧ୍ୟରେ ପ୍ରତିମୂର୍ତ୍ତିଗୁଡ଼ିକୁ ହସ୍ତାନ୍ତର କରିବା ପାଇଁ ଆଲୋଚନା କରାଯିବ। କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ହସ୍ତାନ୍ତର କାର୍ଯ୍ୟ ଭାରତ କି ଅଷ୍ଟ୍ରେଲିଆ କେଉଁଠି କରାଯିବ ତାହା ଆଲୋଚନାରେ ସ୍ଥିର ହେବ। ଏଥିପାଇଁ ମିତ୍‌ଜେଭିକ୍‌ କ୍ଷମା ମାଗିବା ସହ ଆଗକୁ ଏଭଳି ସ୍ଥିତି ଯେପରି ନ ଉପୁଜେ ସେଥିଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ମନ୍‌ପ୍ରୀତ ବୋରା ଏହାକୁ ସ୍ବାଗତ କରିଛନ୍ତି। ଅଷ୍ଟ୍ରେଲିଆର ଏହି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ଭାରତ ସରକାରଙ୍କ ପକ୍ଷରୁ ସେ ଧନ୍ୟବାଦ ଜଣାଇଛନ୍ତି। ଅଷ୍ଟ୍ରେଲିଆ ମ୍ୟୁଜିୟମ୍‌ ନ୍ୟୁୟର୍କରେ ଏକ ଗ୍ୟାଲେରି ଚଲାଉଥିବା ସୁଭାଷ କପୁରଙ୍କଠାରୁ ୧୩ଟି କଳାକୃତି ନେଇଥିଲା। ସେଗୁଡ଼ିକୁ ସେ ଚୋରା ଚାଲାଣ କରିଥିବା ଅଭିଯୋଗ ରହିଥିଲା। ସୁଭାଷ ଜଣେ ଭାରତୀୟ ବଂଶୋଦ୍ଭବ ହୋଇଥିବାବେଳେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।

Share