Categories: Uncategorized

ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୨୯।୧: ହକି ବିଶ୍ୱକପର ବ୍ରୋଞ୍ଜ ପଦକ ପାଇଁ ରବିବାର ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଲଢ଼େଇ ହେବ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩-୪ ଗୋଲରେ ଜର୍ମାନୀ ନିକଟରୁ ହାରି ଯାଇଥିବାବେଳେ ବେଲଜିୟମ ବିପକ୍ଷ ମ୍ୟାଚରେ ଶୁଟ୍‌ଆଉଟ ହୋଇ ଯାଇଥିଲା ନେଦରଲାଣ୍ଡ୍ସ । ନିର୍ଦ୍ଧାରିତ ସମୟ ଖେଳକୁ ନେଦରଲାଣ୍ଡ୍ସ ୨-୨ ଗୋଲରେ ଡ୍ର ରଖି ଫାଇନାଲ ଆଶା ଉଜ୍ଜୀବିତ ରଖିଥିଲା। ମାତ୍ର ଶୁଟ୍‌ ଆଉଟ ପର୍ଯ୍ୟାୟରେ ଦିଗହରା ପ୍ରଦର୍ଶନ ଦଳକୁ ପରାଜୟ ସ୍ବାଦ ଚଖାଇଲା। ଦଳର କେବଳ ୨ ଜଣ ଖେଳାଳି ଶୁଟ୍‌ଆଉଟରେ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ଅଷ୍ଟ୍ରେଲିଆ ୨୦୦୨ ଓ ୨୦୦୬ରେ ରନରଅପ୍‌ ହୋଇଥିଲା। ଏହା ବ୍ୟତୀତ ୧୯୭୮, ୧୯୮୨, ୧୯୯୦, ୧୯୯୪ ଓ ୨୦୧୮ରେ ଦଳ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଥିଲା। ୧୯୯୮ରେ ଦଳକୁ ଚତୁର୍ଥସ୍ଥାନ ମିଳିଥିଲା। ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳ ଏଥର ତାହା ବଜାୟ ରଖିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୧୯୭୩, ୧୯୯୦, ୧୯୯୮ରେ ଚାମ୍ପିୟନ ଏବଂ ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ରନରଅପ୍‌ ନେଦରଲାଣ୍ଡ୍ସ ୨୦୦୨ ଓ ୨୦୧୦ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଥିଲା। ୧୯୮୨ରେ ଦଳକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।