Categories: Uncategorized

୪ ଦିନରେ ମ୍ୟାଚ ଶେଷ: ଅଧିନାୟକ ପ୍ୟାଟ କୁମିନଙ୍କ ପୁଣି ରେକର୍ଡ

ମେଲବୋର୍ନ,୩୦ା୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ଖେଳ ୪ ଦିନ ମଧ୍ୟରେ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ୭୯ ରନରେ ବିଜୟ ଲାଭ କରିଛି। ଅଧିନାୟକ ପ୍ୟାଟ କୁମିନ୍ସ ମ୍ୟାଚରେ ମୋଟ ୧୦ ଉଇକେଟ ଅକ୍ତିଆର କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ପୁଣି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବିଜୟ ଦ୍ୱାରା ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ସହ ୩ ମ୍ୟାଚ ବିଶିଷ୍ଟ ସିରିଜ ଆଗୁଆ କବ୍‌ଜା କରିନେଇଛି।

୩୨୭ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନ ଏକଦା ୫ ଉଇକେଟରେ ୨୧୯ ରନ କରି ସୁବିଧାଜନକ ସ୍ଥିତିରେ ଥିଲା। ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ସର୍ବାଧିକ ରନ ଚେଜ୍‌ରେ ସଫଳ ହେବ ବୋଲି ମନେହେଉଥିତ୍ଲା। ମହମ୍ମଦ ରିଜଓ୍ବାନ (୩୫ ରନ) ଓ ସଲମନ ଅଲି ଆଘା (୫୦)କ୍ରିଜରେ ମହଜୁଦ ରହି ଅଷ୍ଟ୍ରେଲିଆ ପାଇଁ ବିପଦ ସୃଷ୍ଟି କରିଥିଲେ। ମାତ୍ର କୁମିନ୍ସ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ୬୭ରନର ପାର୍ଟନରଶିପର ଅନ୍ତ ଘଟାଇଥିଲେ। ଚତୁର୍ଥ ଦିବସ ଖେଳ ଶେଷ ହେବାକୁ ଆଉ ୧୫ ମିନିଟ ବାକି ଥିବା ବେଳେ ନାଟକୀୟ ଭାବେ ପାକିସ୍ତାନର ଦ୍ୱିତୀୟ ଇନିଂସ ସ୍କୋର ୨୩୭ରନରେ ସୀମିତ ହୋଇଯାଇଥିଲା। ପାକିସ୍ତାନ ଇନିଂସରେ ଅବଦାନ ରଖିଥିବା ଅନ୍ୟ ବ୍ୟାଟରମାନଙ୍କ ମଧ୍ୟରେ ଅଧିନାୟକ ଶନ ମାସୁଦ ୬୦ ଏବଂ ବାବର ଆଜାମ ୪୧ ରନ କରିଥିଲେ। ପୂର୍ବରୁ ଏହାର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୮୭/୬ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ୨୬୨ ରନରେ ଅଲଆଉଟ ହୋଇଯାଇଥିଲା।
ପର୍ଥଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୩୬୦ରନରେ ବିଜୟ ହାସଲ କରିଥିଲା। ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ଆସନ୍ତା ବୁଧବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ।