ଦାରିଙ୍ଗବାଡି,୧୨।୧(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଶୀତ ମହୋତ୍ସବର ପ୍ରଥମ ଦିନରେ ରାଜ୍ୟର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ମଞ୍ଚ ଦୁଲୁକିଛି। ପ୍ରକାଶ ଯେ, ତିନିଦିନିଆ ଶୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସଂଗୀତରେ ଦର୍ଶକ, ଶ୍ରୋତା ଝୁମିଥିଲେ। ଦାରିଙ୍ଗବାଡିକୁ ନେଇ ରହୁଥିବା ‘ତୋତେ ବୁଲେଇ ନେବି ଦାରିଙ୍ଗବାଡି’ ସଙ୍ଗୀତ ଗାଇବା ସମୟରେ ଦର୍ଶକଙ୍କ ଝୁମିବା ଦେଖି ନିଜେ କଣ୍ଠଶିଳ୍ପୀ ସତ୍ୟଜିତ ବାରମ୍ବାର ମଞ୍ଚ ତଳକୁ ଓଲ୍ହାଇ ଦର୍ଶକଙ୍କ ସହ ସେ ମଧ୍ୟ ଝୁମିଥିଲେ। ଫଳରେ ଶୀତ ମହୋତ୍ସବର ମାହୋଲ ଏକ ପ୍ରକାର ସୁନ୍ଦର ଓ ଆକର୍ଷଣୀୟ ହୋଇଉଠିଥିଲା। ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଦର୍ଶକଙ୍କୁ ନିଜ ସଙ୍ଗୀତରେ ବାନ୍ଧି ରଖିଥିଲେ ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ଼ କଳାକାର ଓମ କୁମାର, ଅନନ୍ୟା ଆଚାର୍ଯ୍ୟ ପ୍ରମୁଖ ତାଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ।

