ଧର୍ମଶାଳା,୨୨।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ବଡ଼ କାଏମା ପଞ୍ଚାୟତରେ ଶୁକ୍ରବାର ହେବାକୁ ଥିବା ନିଲାମ ପ୍ରକ୍ରିୟା ଆରମ୍ଭ ହେବା କିଛି ସମୟ ପୂର୍ବରୁ ବାତିଲ ହୋଇଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ସନ୍ଦେହ ବଢିବା ସହ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ତେବେ ଧର୍ମଶାଳା ପଞ୍ଚାୟତ ସମିତି ପକ୍ଷରୁ ୨୦୨୬-୨୭ ବର୍ଷ ପାଇଁ ନୋଟିସ ସଂଖ୍ୟା.୩୫୭୦ରେ ୨୮.୦୪.୨୦୨୬ ରିଖ ପଞ୍ଚାୟତ ସରପଞ୍ଚଙ୍କୁ ଚିଠି କରାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ନିଲାମ ଡାକିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଉକ୍ତ ତାରିଖ, ସ୍ଥାନ ଓ ସମୟରେ ଉପସ୍ଥିତ ରହି ନିଲାମ ଅଂଶ ଗ୍ରହଣ କରିବା ନିମନ୍ତେ ନୋଟିସ ଜାରିଆରେ ଦସ୍ତଖତ କରାଯାଇଥିଲା। ଏଥିପାଇଁ ଆଜି ମଧ୍ୟ ପାଖାପାଖି ୨ଶହରୁ ଅଧିକ ଲୋକେ ମଧ୍ୟ ଉପସ୍ଥିତ ହୋଇଥିଲେ। କିନ୍ତୁ କାଏମା ଭିଏଲଡବ୍ଲୁ ଅନିବାର୍ଯ୍ୟ କାରଣ ଦର୍ଶାଇ ଏହି ନିଲାମ ପ୍ରକ୍ରିୟାକୁ ବନ୍ଦ କରି ଦେଇଥିଲେ। ଯାହାକୁ ନେଇ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଧର୍ମଶାଳା ବିଡ଼ିଓ ଯୋତ୍ରୀମୟ କରଙ୍କୁ ପଚାରିବାରୁ ବ୍ଲକରେ ଜରୁରୀ ବୈଠକ ପାଇଁ ଏହା ସ୍ଥଗିତ ଥିବା କହିଛନ୍ତି। ଅପରପକ୍ଷରେ ଏହି ନିଲାମ ପ୍ରକ୍ରିୟା ବନ୍ଦ ପଛରେ କିଛି ଅସାଧୁ ବ୍ୟକ୍ତିଙ୍କ ଚାପରେ ବନ୍ଦ ହୋଇଥିବା ସନ୍ଦେହ କରାଯାଉଛି। କାରଣ ପୂର୍ବ ବର୍ଷ ଏହି ନିଲାମ ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳିଥିଲା। କିଛି ମାତ୍ରାରେ ସ୍ଥାନୀୟ ଲୋକେଙ୍କ ଉପସ୍ଥିତରେ ଏହି ନିଲାମ ପ୍ରକ୍ରିୟା କରାଯାଇ କିଛି ପ୍ରଭାବଶାଳୀ ବ୍ୟକ୍ତି ନିଲାମଗୁଡ଼ିକୁ ସେମାନଙ୍କ ହାତକୁ ନେଇ ଯାଇଥିଲେ। ତେଣୁ ଆଜି ଲୋକ ସଂଖ୍ୟା ଅଧିକ ଥିବାରୁ ଏହି ନିଲାମ ପ୍ରକ୍ରିୟା ବନ୍ଦ କରାଯାଇଥିବା କିଛି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହା ଉପରେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ସହ ନିଲାମ ପ୍ରକ୍ରିୟା ସଠିକ୍ ଭାବରେ କରାଯିବା ପାଇଁ ଦାବି ହୋଇଛି।