ଅତୁଲ ଗୁପ୍ତାଙ୍କୁ ମିଳିବନି ଆଫ୍ରିକା ପାସପୋର୍ଟ, ହାରିଲେ ଆଇନର ଲଢେଇ

ଜୋହାନସବର୍ଗ,୨୪ ।୧: ଦୁବଇରେ ସ୍ୱନିର୍ବାସନରେ ରହୁଥିବା ୩ ଗୁପ୍ତା ଭାଇଙ୍କ ମଧ୍ୟରୁ ଜଣେ ଅତୁଲ ଗୁପ୍ତାଙ୍କୁ ଦକ୍ଷିଣ ଆଫ୍ରିକାର ନୂଆ ପାସପୋର୍ଟ ମିଳିବ ନାହିଁ । ଏଥିପାଇଁ ଅତୁଲ ଗୁପ୍ତା ହାଇକୋର୍ଟରେ ଆଇନର ଲଢେଇରେ ହାରି ଯାଇଛନ୍ତି । ଅତୁଲ, ଅଜୟ ଓ ରାଜେଶ ଗୁପ୍ତାଙ୍କ ଉପରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ସହ ଅତି ନିକଟ ସମ୍ପର୍କର ଲାଭ ଉଠାଇ ଅରବ ଟଙ୍କାର ଠକେଇ ମାମଲାର ବିଚାର ଚାଲିଛି ।

ଅତୁଲ ଓ ରାଜେଶ ଗୁପ୍ତା ଏବେ ଦକ୍ଷିଣ ଆଫ୍ରିକାରେ ଅଭିଯୋଗର ସାମ୍ନା କରିବାକୁ ପ୍ରତ୍ୟର୍ପଣକୁ ଅପେକ୍ଷା ରଖିଛନ୍ତି । ୨୦୧୮ରେ ଜୁମାଙ୍କ ରାଷ୍ଟ୍ରପତି ପଦ ଯିବା ପରେ ଗୁପ୍ତା ଭାଇ ତାଙ୍କ ପରିବାର ସହ ଦୁବଇ ଚାଲିଯାଇଥିଲେ । ଆମେରିକା ଓ ବ୍ରିଟେନ ବି ଏମାନଙ୍କୁ କଳା ତାଲିକାଭୁକ୍ତ କରିଛି ।
ପ୍ରିଟୋରିଆ ହାଇକୋର୍ଟ ପକ୍ଷରୁ ଶୁକ୍ରବାର ହୋଇଥିବା ଶୁଣାଣିରେ କୁହାଯାଇଛି, ଅତୁଲ ଗୁପ୍ତା ଦକ୍ଷିଣ ଆଫ୍ରିକା ପାସପୋର୍ଟ ପାଇବାକୁ ଯୋଗ୍ୟ ନୁହେଁ କାରଣ ସେ ପଳାତକ । ଗୁପ୍ତା ୨୦୧୮ରେ ପାର୍ସପୋର୍ଟ ପାଇଁ ଦୁବଇ ସ୍ଥିତ ଦକ୍ଷିଣ ଆଫ୍ରିକା ବାଣିଜ୍ୟ ଦୂତାବାସ ସହ ସମ୍ପର୍କ କରିଥିଲେ । ସେତେବେଳେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲି ନ ଥିଲା । ସୂଚନାଯୋଗ୍ୟ, ଗୁପ୍ତା ଭାଇ ମୂଳତଃ ଉତ୍ତର ପ୍ରଦେଶର ସାହାରନପୁର ବାସିନ୍ଦା ।

Share