ଯୁବ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଗଞ୍ଜାମ ଜିଲା ଗୋପାଳପୁରଠାରେ ବିଜୁ ଆଡ୍‌ଭେଞ୍ଚର ପାର୍କକୁ ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପାର୍କ ଗୋପାଳପୁର ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ବିଶେଷ କରି ଆଡ୍‌ଭେଞ୍ଚର କ୍ରୀଡ଼ା ଯୁବ ଗୋଷ୍ଠୀଙ୍କୁ ଆକର୍ଷିତ କରିବ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବିମାନ ଉଡ଼ାଣ ଦକ୍ଷତା ତଥା ସାହସିକତା କ୍ରୀଡ଼ାକୁ ସମ୍ମାନ ଜଣାଇ ତାଙ୍କ ନାମରେ ଏହି ପାର୍କକୁ ନାମିତ କରାଯାଇଛି। ଏହି ପାର୍କ ପାଇଁ ୨.୫ କୋଟି ବ୍ୟୟବରାଦ ହୋଇଛି। ଏହି ପାର୍କରେ ରିଭର କ୍ରସିଂ ଜିପ୍‌ ଲାଇନ ସହିତ ଅନେକ ସୁବିଧା ରହିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ୨୫୦ ମିଟର ଲମ୍ବର ରିଭର କ୍ରସିଂ ଜିପ୍‌ ଲାଇନ କରାଯାଇଛି। ଉଭୟ ପଟୁ କରାଯାଇଥିବା ଜିପ୍‌ ଲାଇନ ଗୋପାଳପୁର ବେଳାଭୂମିର ସୌନ୍ଦର୍ଯ୍ୟକୁ ଆହୁରି ବର୍ଦ୍ଧିତ କରିବ। ଏହାଛଡ଼ା ଏହି ପାର୍କରେ ୪୦ ଫୁଟ ଜିଆଣ୍ଟ ସୁଇଙ୍ଗ, ଏଆର ଗନ୍‌ ସୁଟିଂ, ବୁଙ୍ଗି ଟ୍ରାମ୍ପୋଲିନ, ମେକାନିକାଲ ବୁଲ୍‌ ରାଇଡ, ନେଟେଡ କ୍ରିକେଟ ଆଦି ବ୍ୟବସ୍ଥା ରହିଛି। ଏଥିସହିତ ରକ କ୍ଲାଇମ୍ବିଂ, ରାପେଲିଂ, ଡ୍ୟାସିଂ କାର, ଜୋରବିଙ୍ଗ ଆଦି ଦୁଃସ ାହସିକ କ୍ରୀଡ଼ାକୁ ସାମିଲ କରାଯିବା ବ୍ୟବସ୍ଥା ରହିଛି। ଏହାଦ୍ୱାରା ଗୋପାଳପୁରକୁ ବିଦେଶୀ ପର୍ଯ୍ୟଟକମାନେ ଆକର୍ଷିତ ହେବେ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ। ଏଥିସହିତ ଗୋପାଳପୁର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଓ ବ୍ରହ୍ମପୁର ଉପଜିଲାପାଳ ଭି.କୀର୍ତ୍ତିୱାସନ, ଗୋପାଳପୁର ଏନ୍‌ଏସି ଚେୟାରମ୍ୟାନ ଜାନକୀ ରାମ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ ପାତ୍ର, ତହସିଲଦାର ସୋନାଲି ଚାନ୍ଦ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଭାଇସ ଚେୟାରମ୍ୟାନ ବି.ଉମା, ରାମହରି ପାତ୍ର, ଶିବରାମ ପାତ୍ର, ସମସ୍ତ କାଉନସିଲର, ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।