ଆଠମଲ୍ଲିକ ଉପଖଣ୍ଡରେ ଅସୁରକ୍ଷିତ କଲରାପତରିଆ

ବଇଣ୍ଡା,୫ା୨ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କଲରାପତରିଆ ବାଘ ଅସୁରକ୍ଷିତ ହୋଇପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଛି। ଦୀର୍ଘଦିନ ହେଲା ଶିକାରୀମାନେ ଉପଖଣ୍ଡର ବିଭିନ୍ନ ଜଙ୍ଗଲାଞ୍ଚଳରେ ଫାଶ ବସାଇ ଜନ୍ତୁ ଶିକାର କରୁଥିବା ବେଳେ ସେଥିରେ ଲାଗି ଏକାଧିକ କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି। ତଥାପି ଏହି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ଦୃଢ଼ ପଦକ୍ଷେପ ନେଉନି ବନ ବିଭାଗ। ଏପରି କି ୭ ଦିନ ତଳେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ସମ୍ପର୍କରେ ବିଭାଗ ନିକଟରେ ଖବର ନ ଥିବା ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ସମ୍ପର୍କରେ ରବିବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ଘଟଣାସ୍ଥଳରେ ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହେଲେ ଏଯାଏ ଶିକାରୀଙ୍କ ନିକଟରେ ପହଞ୍ଚିପାରିନି ବନ ବିଭାଗ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଠାକୁରଗଡ଼ ଥାନା ମିଣ୍ଡୋଳ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ମାସ ହେବ ବାର୍‌ହା ଶିକାର କରିବା ପାଇଁ ଶିକାରୀମାନେ ବିଦ୍ୟୁତ୍‌ ଫାଶ ପକାଉଛନ୍ତି। ବିଶେଷକରି ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିଲେ ହେଁ ବନ ବିଭାଗ ପକ୍ଷରୁ ରାତ୍ର ପାଟ୍ରୋଲିଂ କରାଯାଉ ନାହିଁ। ଫଳରେ ଶିକାରୀମାନେ ନିର୍ଭୟରେ ଫାଶ ବସାଇ ଜନ୍ତୁ ଶିକାର କରୁଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗତ ଜାନୁୟାରୀ ୨୦ ତାରିଖ ପରଠାରୁ ଏହି ଅଞ୍ଚଳରେ ଜନ୍ତୁ ଶିକାର ବଢ଼ିବାରେ ଚାଲିଛି। ଶିକାରୀମାନେ ବନ ବିଭାଗର କେତେଜେଣ କର୍ମଚାରୀଙ୍କୁ ମାସିକିଆ ହାତଗୁଞ୍ଜା ଦେଇ ନିରାପଦରେ ଶିକାର କରୁଛନ୍ତି। ଜନ୍ତୁ ଶିକାର ପାଇଁ ଫାଶ ପକାଇଥିବା ବେଳେ ମିଣ୍ଡୋଳ ମଠ ନିକଟ କାଜୁ ଫିଲ୍ଡ ପରିସରରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ପ୍ରାଣ ହରାଇଥିଲା। ୭ ଦିନ ତଳେ ଏହି ଘଟଣା ଘଟିଥିଲେ ହେଁ ଏ ନେଇ ଜାଣି ନ ଥିବା ବନ ବିଭାଗକୁ କେତେଜଣ ଗୋରୁ ଚରାଳି ଶନିବାର ଖବର ଦେଇଥିଲେ। ତଥାପି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରବିବାର ରବିବାର ଅନୁଗୋଳ ଆଇଏଫ୍‌ଏସ୍‌ ସୁଧାଂଶୁ ଶେଖର ଖୋରା, ଆଠମଲ୍ଲିକ ଡିଏଫ୍‌ଓ ସନ୍ତୋଷ କୁମାର କପୁଲ, ଏସିଏଫ୍‌ ସଚ୍ଚିଦାନନ୍ଦ ସେଠୀ, ଅନୁଗୋଳ ସିଡିଭିଓଙ୍କ ସହ ଭୁବନେଶ୍ବରରୁ ୨ ଜଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଜବତ ସହ ବ୍ୟବଚ୍ଛେଦ କରିଥିଲେ। ପରେ ଘଟଣାସ୍ଥଳରେ ପୋଡି ଦେଇଥିଲେ। ପଡ଼ିଥିବା ବିଦ୍ୟୁତ୍‌ ଫାଶକୁ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଶିକାରୀମାନଙ୍କ ପତ୍ତା ମିଳିନାହିଁ। ଏ ନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।