ଦାୟିତ୍ୱ ଖସାଇବାର ପ୍ରୟାସ

ବିଚିତ୍ର ବିଶ୍ୱାଳ

ବୁଢ଼ାଲୋକ ଜଣକ ଜୀବନସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ। ସେହି ସମ୍ପତ୍ତିି ମଧ୍ୟରେ ଜମି, ଗାଡ଼ି, ଘର, ଡଙ୍ଗା, ଟେଲିଫୋନ୍‌, ହୋଟେଲ୍‌ ବ୍ୟବସାୟ ଓ ଆହୁରି ଅନେକ ଜିନିଷ ଥିଲା। ସେହି ବୁଢ଼ାଲୋକ ଜଣକର ପୁଅ ଯୋଗ୍ୟ ହୋଇ ନ ଥିବାରୁ ତାଙ୍କ ବ୍ୟବସାୟ ବାରମ୍ବାର କ୍ଷତି ହେଉଥିଲା ଓ ଅନ୍ୟାନ୍ୟ ସମ୍ପତ୍ତି ବାଡ଼ିରୁ ସେ ଆଶାନୁରୂପକ ଲାଭ ପାଉ ନ ଥିଲେ। ପ୍ରକୃତରେ ଏପରି ଅଭିଯୋଗ ବୁଢ଼ାଙ୍କ ଅପେକ୍ଷା ତାଙ୍କ ପୁଅ ବେଶି କରୁଥିଲା।
ଦିନେ ସକାଳୁ ବୁଢ଼ାଲୋକ ଜଣକ ନିଦରୁ ଉଠି ଦେଖିଲେ ତାଙ୍କ ଅର୍ଜିତ ସମ୍ପତ୍ତି ବାଡ଼ି ଆଉ କିଛି ନାହଁି। ବାହାର ଲୋକମାନେ ତା’ ଉପରେ କବ୍‌ଜା କରି ବସିଛନ୍ତି। ବୁଢ଼ା ଆଶ୍ଚର୍ଯ୍ୟ ହୋଇ ପୁଅକୁ ଚାହଁିଲେ। ପୁଅ କାଳବିଳମ୍ବ ନ କରି କହିପକେଇଲା- ବାପା, ମଁୁ ସେସବୁ ଜିନିଷର ମୁଦ୍ରୀକରଣ କରିଦେଇଛି। ପ୍ରଥମେ ତ ପୁଅ କହୁଥିବା ମୁଦ୍ରୀକରଣର ଅର୍ଥ ବୁଢ଼ା କିଛି ବୁଝିପାରିଲେ ନାହଁି। ଆବା କାବା ହୋଇ ପୁଅକୁ ଚାହଁିଲେ। କିଛି ସମୟ ପରେ ବୁଢ଼ା ବୁଝିଲେ ଯେ, ଟଙ୍କା ପାଇଁ ପୁଅ ସେସବୁ ସମ୍ପତ୍ତିକୁ ବାହାର ଲୋକମାନଙ୍କୁ ଭଡ଼ାରେ ଦେଇଛି ଓ ବିକି ଦେଇଛି। ବୁଢ଼ାଙ୍କ ପାଦ ତଳୁ ମାଟି ଧସିଯିବା ପରି ଲାଗିଲା। ପୁଅ କହିଲା, ବ୍ୟସ୍ତ ହୁଅନାହଁି। ଏହାଦ୍ୱାରା ଆମକୁ ଟଙ୍କା ମିଳିବ। ସେହି ଟଙ୍କାରେ ଆମେ ଆହୁରି ସମ୍ପତ୍ତି ବଢ଼େଇବା। ଏହାଦ୍ୱାରା ଆମର ବିକାଶ ହଁି ବିକାଶ ହେବ। ବୁଢ଼ାଙ୍କ ପାଟିରେ ଆଉ ଭାଷା ନଥିଲା।
ଏହି ଗପଟି ସହିତ ବର୍ତ୍ତମାନ ଆମ ଦେଶର ଅବସ୍ଥା ପୂରା ଖାପ୍‌ ଖାଇଯାଉଛି। ଅଗଷ୍ଟ ୨୩ରେ କେନ୍ଦ୍ର ସରକାର ’ନ୍ୟାଶନାଲ୍‌ ମନିଟାଇଜେଶନ୍‌ ପାଇପ୍‌ଲାଇନ୍‌’ ନାମକ ଏକ ଯୋଜନା ଘୋଷଣା କରିଛନ୍ତି। କାନକୁ ଭାରି ବଢ଼ିଆ ଶୁଭୁଥିବା ଏହି ଯୋଜନା ମାଧ୍ୟମରେ ସରକାର ଆମ ଦେଶର ୧୩ଟି ରାଷ୍ଟ୍ରୀୟ କ୍ଷେତ୍ରର ସମ୍ପତ୍ତିି ସବୁକୁ ଘରୋଇ କମ୍ପାନୀମାନଙ୍କୁ ଲିଜ୍‌ ଆକାରରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଠିକ୍‌ ଗପରେ ଥିବା ବୁଢ଼ାର ପୁଅ ପରି ସରକାର ଘୋଷଣା କରିଛନ୍ତି, ଏହି ଯୋଜନା ଦ୍ୱାରା ଆସନ୍ତା ଚାରି ବର୍ଷରେ ଆମକୁ ୬ଲକ୍ଷ କୋଟି ଟଙ୍କା ମିଳିବ, ଯେଉଁଥିରେ ଆମେ ଆହୁରି ଢାଞ୍ଚାଗତ ବିକାଶ କରିପାରିବା। ସରକାରଙ୍କ ପାଖରେ ବର୍ତ୍ତମାନ ଥିବା ରାଷ୍ଟ୍ରାୟତ୍ତ ସମ୍ପତ୍ତି ଓ ସେବା କ୍ଷେତ୍ରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେଇ ବା ବିକ୍ରି କରି ସେଥିରୁ ଟଙ୍କା ରୋଜଗାର କରିବା, କିପରି ବିକାଶ ବୁଝିହେଉନାହିଁି। ଏହା ବିକାଶର ସୂଚନା ନା ଦେବାଳିଆର ଲକ୍ଷଣ, ବିଚାରଯୋଗ୍ୟ ବିଷୟ। ଆମେ ଜାଣିଛେ, ବାପ ଅଜାଙ୍କ ଅର୍ଜ୍ଜିତ ସମ୍ପତ୍ତିିକୁ ବିକୁଥିବା ପୁଅ କେବେହେଲେ ଯୋଗ୍ୟ ପୁଅ ନୁହେଁ। ଅଯୋଗ୍ୟ ପଣେ ହଁି ସମ୍ପତ୍ତିି ବିକିବାର ଚିନ୍ତାଧାରା ମୁଣ୍ଡକୁ ଆସେ। ଏ କ୍ଷେତ୍ରରେ ବି ଠିକ୍‌ ସେହିପରି ସରକାର ରାଷ୍ଟ୍ରାୟତ୍ତ ସମ୍ପତ୍ତିକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବାର ନିଷ୍ପତ୍ତିି ନେଇଛନ୍ତି। ଅବଶ୍ୟ ନିଜ ଦୋଷ ଓ ଅପାରଗପଣକୁ ଢାଙ୍କିବା ପାଇଁ ସରକାର ଏହାର ଗୋଟିଏ ଭଲ ନାଁ ଦେଇଛନ୍ତି। ଏ କ୍ଷେତ୍ରରେ ସରକାର ଶବ୍ଦର ଖେଳ ଖେଳି ସାଧାରଣ ଲୋକଙ୍କୁ ଠକିବାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ନାଁ ଯାହା ଦେଲେ ବି, ପ୍ୟାକିଙ୍ଗ୍‌ ଯେପରି କଲେ ବି ସରକାରଙ୍କର ଭିତିରି ଉଦ୍ଦେଶ୍ୟକୁ ବୁଝିବା ଆଉ ବାକି ନାହଁି। କୋଭିଡ୍‌ର ପ୍ରଥମ ଲହର ବେଳେ ଅର୍ଥମନ୍ତ୍ରୀ ଘରୋଇକରଣ କରିବାର ଯେଉଁ ଧାରା ଆରମ୍ଭ କରିଥିଲେ, ସମ୍ପ୍ରତି କେନ୍ଦ୍ର ସରକାର ସେହି ଧାରାକୁ ଆହୁରି ଆଗକୁ ବଢ଼େଇଛନ୍ତି। ୨୦୧୪ରେ ମୋଦି ସରକାର ଆସିବା ପରଠାରୁ ତାଙ୍କର ନିଷ୍ଠା ଦେଶର ଜନସାଧାରଣଙ୍କ ଅପେକ୍ଷା କମ୍ପାନୀମାନଙ୍କ ପ୍ରତି ଅଧିକ ବୋଲି ବୁଝିବାରେ ଆଉ ବାକି ନାହଁି। ପୂର୍ବର ସରକାର ବି ଏହାର ବ୍ୟତିକ୍ରମ ନ ଥିଲେ।
କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ୨୬,୭୦୦ କି.ମି. ରାସ୍ତା, ଯାହାକି ଦେଶର ସମୁଦାୟ ରାଜରାସ୍ତାର ୨୨% ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବାର ବ୍ୟବସ୍ଥା କରିଛନ୍ତି। ୪୦୦ ରେଳ ଷ୍ଟେଶନ୍‌, ୯୦ଟି ରେଳଗାଡ଼ି, ୧୪୦୦ କି.ମି. ରେଳ ଟ୍ରାକ୍‌, ୧୫ଟି ରେଲଓ୍ବେ ଷ୍ଟାଡ଼ିୟମ୍‌, ୨୬୫ଟି ରେଳ ଗୋଦାମ, ୮୧୫୪ କି.ମି. ଲମ୍ବର ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ଲାଇନ୍‌, ପେଟ୍ରୋଲିଅମ୍‌ ଓ ପେଟ୍ରୋଲ୍‌ଜାତ ଦ୍ରବ୍ୟ, ଏକାଧିକ ସରକାରୀ ହୋଟେଲ୍‌, ସରକାରୀ ଗୋଦାମ ଘର, ଖଣି, ଷ୍ଟାଡ଼ିୟମ୍‌ ଆଦିକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବା ପାଇଁ ଯୋଜନା କରିସାରିଛନ୍ତି। ଏତଦ୍‌ବ୍ୟତୀତ ଶକ୍ତି, ଟେଲିକମ୍‌, ଜାହାଜ ଚଳାଚଳ, ବିମାନ ଚଳାଚଳ, ସହରାଞ୍ଚଳ ଓ ରିଅଲ୍‌ ଇଷ୍ଟେଟ୍‌ ଆଦି କ୍ଷେତ୍ରକୁ ମଧ୍ୟ ଘରୋଇ କମ୍ପାନୀଙ୍କୁ ଲିଜ୍‌ ଦେବାର ବ୍ୟବସ୍ଥା ହୋଇଛି। ଓଡ଼ିଶାର ପାରାଦୀପ ବନ୍ଦର, ଭୁବନେଶ୍ୱର ବିମାନ ବନ୍ଦର, ହୋଟେଲ୍‌ କଳିଙ୍ଗ ଅଶୋକ ବି ଏହି ତାଲିକାରେ ଅଛି। ଏହାଦ୍ୱାରା ଚାରି ବର୍ଷ ମଧ୍ୟରେ ସରକାର ୬ ଲକ୍ଷ କୋଟି ଟଙ୍କା ପାଇବେ। ଅର୍ଥାତ୍‌ ବର୍ଷକୁ ମାତ୍ର ୧.୫ ଲକ୍ଷ କୋଟି ଟଙ୍କା ପାଇଁ ଦେଶର ଏସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବା କେତେ ଦୂର ସମୀଚୀନ! ଏହି ଯୋଜନା ଘୋଷଣାର ମାତ୍ର ଆଠ ଦିନ ପୂର୍ବରୁ ସ୍ବାଧୀନତା ଦିବସ ଦିନ ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌କିଲ୍ଲା ଉପରୁ ସାଧାରଣ ଲୋକଙ୍କ ପାଇଁ ୧ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ୍‌ ଘୋଷଣା କରିଥିଲେ। ଯଦି ସରକାରଙ୍କ ପାଖରେ ଟଙ୍କା ନାହଁି ଓ ଦେଶର ସମ୍ପତ୍ତିି ଲିଜ୍‌ ଦେବା ପାଇଁ ପଡ଼ୁଛି, ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କ’ଣ ମିଛ ଥିଲା? ଦେଶର ସ୍ବତନ୍ତ୍ରତା ଓ ଆତ୍ମନିର୍ଭରଶୀଳତାର କଥା କହୁଥିବା ପ୍ରଧାନମନ୍ତ୍ରୀ ସ୍ବାଧୀନତା ଦିବସର ମାତ୍ର ଆଠ ଦିନ ପରେ ଦେଶର ସମ୍ପତ୍ତି ଓ ସେବା କ୍ଷେତ୍ରକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକି ଦେବା କ’ଣ ସ୍ବାଧୀନତାର ଆତ୍ମସମର୍ପଣ ନୁହେଁ?
ଏହି ସବୁ ସମ୍ପତ୍ତିି ଓ ସେବା କ୍ଷେତ୍ର ଘରୋଇ ମାଲିକାନାକୁ ଗଲେ, ସେତେବେଳେ ଉପରୋକ୍ତ ସେବା ଓ ଦ୍ରବ୍ୟର ମୂଲ୍ୟ କେତେ ରହିବ, ସେ ବିଷୟରେ କିଛି ବି ଏହି ଯୋଜନାରେ କୁହାଯାଇନାହଁି। ଏହା ପରୋକ୍ଷରେ ଲୋକଙ୍କ ପାଇଁ କାଳ ସାବ୍ୟସ୍ତ ହେବ। କାରଣ ଆମେ ସମସ୍ତେ ଜାଣିଛେ ଯେ, ଘରୋଇ କମ୍ପାନୀମାନେ କେବେ ବି ଜନକଲ୍ୟାଣ ପାଇଁ ଏହି ସବୁ ସମ୍ପତ୍ତି ଓ ସେବା କ୍ଷେତ୍ରକୁ ଲିଜ୍‌ରେ ନେବେ ନାହଁି। ଲାଭ କରିବା ହଁି ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ରହିବ। ଫଳସ୍ବରୂପ ଏହି ସବୁ ସମ୍ପତ୍ତିି ଓ ସେବାର ମୂଲ୍ୟ ଖୁବ୍‌ ଦ୍ରୁତ ଗତିରେ ବଢ଼ିବ, ଏଥିରେ ସନ୍ଦେହ ନାହଁି। ଏହାର ବୋଝ ଆସନ୍ତା ଭବିଷ୍ୟତରେ ଦେଶର କୋଟି କୋଟି ସାଧାରଣ ଲୋକଙ୍କ ଉପରେ ପଡ଼ିବ। ପ୍ରକାରାନ୍ତରେ ଦରଦାମ୍‌ ଆହୁରି ବଢ଼ିବ। କରୋନାର ସଂକଟ ପରେ ମୁଦ୍ରୀକରଣର ସଂକଟ ଲୋକଙ୍କ ପାଇଁ ଭାରି ପଡ଼ିବ। ଯେଉଁ ଯେଉଁ କ୍ଷେତ୍ରଗୁଡ଼ିକ ଏହି ଯୋଜନା ମାଧ୍ୟମରେ ଲିଜ୍‌ ଦେବା ପାଇଁ ଚୁଡ଼ାନ୍ତ ହୋଇଛି, ସେସବୁ ସର୍ବସାଧାରଣଙ୍କ ସ୍ବାର୍ଥ ସମ୍ବଳିତ କ୍ଷେତ୍ର। ସେସବୁ ଘରୋଇ କମ୍ପାନୀଙ୍କ ମାଲିକାନାକୁ ଗଲେ, ଲୋକମାନେ ସେହିସବୁ ସେବା ଉପଯୁକ୍ତ ଦାମ୍‌ରେ ପାଇବାରୁ ବଞ୍ଚିତ ହେବେ। ଘରୋଇ କମ୍ପାନୀମାନେ ନିଜ ଲାଭ ପାଇଁ ଅଧିକ ଦାମ୍‌ କଷିବେ। କାରଣ ଘରୋଇ କମ୍ପାନୀମାନଙ୍କ ପାଇଁ ସରକାର ଏହି ଯୋଜନାରେ ଦରଦାମ୍‌ର କୌଣସି ନିୟନ୍ତ୍ରଣ ରଖିନାହାନ୍ତି। ଦେଶର ଜନସାଧାରଣଙ୍କଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଘରୋଇ କମ୍ପାନୀମାନେ ଲୁଟିନେବେ। ଏତଦ୍‌ବ୍ୟତୀତ ଏପରି ଯୋଜନା ସରକାରୀ କ୍ଷେତ୍ରରେ ଦୁର୍ନୀତି ବଢ଼ାଇବ। ଏହା ନିଶ୍ଚିତ ଯେ, ଏହି ଯୋଜନା ମାଧ୍ୟମରେ ସରକାର ନିଜର ପ୍ରିୟ ତଥା ନିର୍ବାଚନୀ ଚାନ୍ଦା ଦେଉଥିବା କମ୍ପାନୀମାନଙ୍କୁ ହଁି ଲିଜ୍‌ ଦେବା ପାଇଁ ଅଗ୍ରାଧିକାର ଦେବେ। ଏହାଦ୍ୱାରା ସରକାର ନିଶ୍ଚୟ ତାଙ୍କର ନିର୍ବାଚନ ଫଣ୍ଡିଙ୍ଗ୍‌କୁ ଅଧିକ ଦୃଢ଼ କରିବାର ବ୍ୟବସ୍ଥା କରିବେ। ଯେତେବେଳେ କୁହାଯାଉଛି, ମାତ୍ର କିଛି ବର୍ଷ ପାଇଁ ଏସବୁ ସମ୍ପତ୍ତି ଲିଜ୍‌ ଦିଆଯିବ, ସେତେବେଳେ ଗୋଟିଏ କଥା ଭୁଲିଯିବା ଉଚିତ୍‌ ନୁହେଁ ଯେ, ଏହି କିଛି ବର୍ଷଟା ଆହୁରି ଅଧିକରୁ ଅଧିକ ବଢ଼ିବ। ପ୍ରତି ବର୍ଷ କମ୍ପାନୀମାନଙ୍କର ଲିଜ୍‌କୁ ନବୀକରଣ କରାଯିବ। ଥରେ ସମ୍ପତ୍ତିି କମ୍ପାନୀମାନଙ୍କ ହାତକୁ ଚାଲିଗଲେ ଓ ସରକାର ନିଜ ଦାୟିତ୍ୱରୁ ଓହରି ଗଲେ, ସେହି ଆଧାରରେ ସରକାର ଧୀରେ ଧୀରେ ଲିଜ୍‌କୁ ବିକ୍ରିରେ ପରିଣତ କରିଦେବେ। ତେଣିକି ସମ୍ପତ୍ତିର ସମ୍ପୂର୍ଣ୍ଣ ମାଲିକ ହୋଇଯିବେ ଘରୋଇ କମ୍ପାନୀ। ସେତେବେଳକୁ ଲୋକମାନଙ୍କର ବି ଅଭ୍ୟାସରେ ପରିଣତ ହୋଇଯାଇଥିବ। ଆଉ ପ୍ରତିବାଦ କି ବିଦ୍ରୋହ ଦେଖାଯିବ ନାହଁି।
ସମୟ ଆସିବ ଦେଶ ତ ଆମର ହୋଇଥିବ, କିନ୍ତୁ ରେଳ ଷ୍ଟେଶନଟା ଘରୋଇ କମ୍ପାନୀର ହୋଇଥିବ। ଭୁବନେଶ୍ୱର ବିମାନବନ୍ଦର ଆମେରିକାର କେଉଁ ଗୋଟେ କମ୍ପାନୀର ହୋଇଥିବ। ଏହି ମୁଦ୍ରୀକରଣ ବ୍ୟବସ୍ଥା ପ୍ରକୃତରେ ରାଷ୍ଟ୍ରାୟତ୍ତ ସଂସ୍ଥା ସବୁକୁ ଦେଶୀ ବିଦେଶୀ କମ୍ପାନୀଙ୍କ ହାତକୁ ଟେକି ଦେବାର ଏକ ଚାଲ୍‌। କାଲି ସକାଳେ ରେଳ ଭଡ଼ା କମେଇବା ପାଇଁ ବା ଟୋଲ୍‌ ଗେଟ୍‌ରେ ଅଧିକ ଭଡ଼ା ନିଆଗଲେ ତାକୁ କମେଇବା ପାଇଁ ଲୋକମାନେ ଆଉ ସରକାରଙ୍କ ପାଖରେ ଦାବି କରିପାରିବେ ନାହିଁି। କାରଣ ସେସବୁ ଆଉ ସରକାରଙ୍କ ଅଧୀନରେ ନ ଥିବ। ଅସଲରେ ସରକାର ଧୀରେ ଧୀରେ ଜନକଲ୍ୟାଣକାରୀ ଭୂମିକାରୁ ବାହାରି ଯିବାକୁ ଚାହଁୁଛନ୍ତି। ତାଙ୍କ ଉପରେ ଥିବା ଦାୟିତ୍ୱ ଖସାଇବା ଲାଗି ପ୍ରୟାସ କରୁଛନ୍ତି। ସରକାର କେବଳ ଶାସନ କରିବେ ଓ ସେଥିପାଇଁ କେବଳ ପୋଲିସ ବାହିନୀ ରଖିବେ। ବାକି ସବୁ କାମ ଘରୋଇ କମ୍ପାନୀ ବୁଝିବେ। ତା’ପରେ ସରକାର ଘୋଷଣା କରିବେ, ଜୋର୍‌ ଯା’ର ମୁଲକ ତା’ର। ଯିଏ ବଞ୍ଚିପାରିବେ ବଞ୍ଚ, ବାକି ସବୁ ଘୁଞ୍ଚ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri