ବିଲ୍‌ରେ ଜାଲିଆତି କରି ଟଙ୍କା ହଡ଼ପ ଉଦ୍ୟମ

ଅନୁଗୋଳ ଅଫିସ,୧୨ା୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ଭାବେ ଶୋଷଣ କରୁନାହାନ୍ତି, ସୁଯୋଗ ପାଇବା ମାତ୍ରେ ସରକାରୀ ଅର୍ଥ ହଡପ୍‌ ପାଇଁ କିପରି ଉଦ୍ୟମ କରୁଛନ୍ତି ତାହାର ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ରୋଗୀଙ୍କୁ ଖାଦ୍ୟ ଯୋଗାଣ ବାବଦ ୨୬ଶହ ଟଙ୍କାର ଏକ ବିଲ୍‌କୁ ଜଣେ ଦଲାଲ ବଦଳାଇ ୬ ହଜାର ଟଙ୍କା କରିବା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଦାୟିତ୍ୱ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ଉକ୍ତ ଗୋଷ୍ଠୀ ପକ୍ଷରୁ ଏପ୍ରିଲ ୧୩ରେ ୪୦ ଜଣଙ୍କୁ ଖାଦ୍ୟ ଯୋଗାଣ ବାବଦରେ ୬୫ ଟଙ୍କା ଲେଖାଏ ହିସାବରେ ୨୬ଶହ ଟଙ୍କାର ବିଲ୍‌ ପ୍ରସ୍ତୁତ କରାଯାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ହେଲେ ସମ୍ପୃକ୍ତ ଦଲାଲ ଜଣକ ଫାଇଲରେ ଥିବା ଉକ୍ତ ବିଲ୍‌କୁ କାଟି ୬ ହଜାର ଟଙ୍କା କରିଦେଇଥିଲେ। ଘଟଣା ସମ୍ପର୍କରେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ଯୋଗାଯୋଗ କରାଯିବାକୁ ଉଦ୍ୟମ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏ ନେଇ ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଘଟଣାରେ ସତ୍ୟାସତ୍ୟ ରହିଥିବ, ତା’ହେଲେ ଏହାର ତଦନ୍ତ କରାଯିବ।