ଯୁବକଙ୍କୁ ବାନ୍ଧି ଆଖି ତାଡ଼ିବାକୁ ଉଦ୍ୟମ

ଗୋପ,୨୬।୭(ଡି.ଏନ୍‌.ଏ.): ଗୋପ ଥାନା ଅଧୀନ ଆଇମା ଗ୍ରାମଦାଣ୍ଡରେ ବାଲିଗଦାକୁ କେନ୍ଦ୍ରକରି ରବିବାର ଦୁଇ ପରିବାର ମଧ୍ୟରେ ବଡଧରଣର ଗଣ୍ଡଗୋଳ ଘଟିଛି। ନୀଳକଣ୍ଠ ବେହେରା(୩୧) ଓ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ଲୋକେ ମରଣାନ୍ତକ ଆକ୍ରମଣ କରିଛନ୍ତି। ନୀଳକଣ୍ଠଙ୍କ ଆଖି ତାଡ଼ିବା ଓ ହତ୍ୟା ଉଦ୍ୟମ କରାଯିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ରକ୍ତାକ୍ତ ଅବସ୍ଥାରେ ନୀଳକଣ୍ଠଙ୍କୁ କେତେଜଣ ଗ୍ରାମବାସୀ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛନ୍ତି।
ଅଭିଯୋଗ ଅନୁଯାୟୀ, ୪ଦିନ ତଳେ ଗ୍ରାମର ଗନ୍ଧର୍ବ ସ୍ବାଇଁ କୌଣସି କାମ ନିମନ୍ତେ ଗାଁ ଦାଣ୍ଡରେ ବାଲି ଗଦାଇଥିଲେ। ଏଥିଯୋଗୁ ଲୋକଙ୍କ ଯାତାୟାତରେ ସମସ୍ୟା ହୋଇଥିଲା। ଶନିବାର ମଧ୍ୟାହ୍ନରେ ବାଲିଗଦାକୁ ନେଇ ନୀଳକଣ୍ଠ ପ୍ରତିବାଦ କରିବାରୁ ତାଙ୍କ ସହ ଗନ୍ଧର୍ବଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ରବିବାର ପୂର୍ବାହ୍ନ ୯ଟାରେ ଗନ୍ଧର୍ବଙ୍କ ପୁଅ ବୁଲୁ ଆସି ନୀଳକଣ୍ଠଙ୍କୁ ଘରୁ ଡାକି ନେଇଥିଲେ। ଗନ୍ଧର୍ବଙ୍କ ଘର ଦ୍ୱାର ପାଖରେ ନୀଳକଣ୍ଠ ପହଞ୍ଚିବା କ୍ଷଣି ବାପପୁଅ ଓ ଆଉ କେତେଜଣ ତାଙ୍କୁ ଘର ଖୁଣ୍ଟରେ ବାନ୍ଧି ଆଖି ତାଡ଼ି ନେବାକୁ ଉଦ୍ୟମ କରିବା ସହ ହତ୍ୟା ଉଦ୍ୟମ କରିଥିଲେ। ଏହି ଖବର ଶୁଣି ନୀଳକଣ୍ଠଙ୍କ ପରିବାରବର୍ଗ ସେଠାରେ ପହଞ୍ଚିବାରୁ ସେମାନଙ୍କୁ ମଧ୍ୟ ଗନ୍ଧର୍ବ ଓ ତାଙ୍କ ସମର୍ଥକ ମରଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମର କେତେଜଣ ଯୁବକ ଏହି ଘଟଣା ଦେଖି ନୀଳକଣ୍ଠଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ନୀଳକଣ୍ଠଙ୍କ ବାପା ରବୀନ୍ଦ୍ର ବେହେରା ଗୋପ ଥାନାରେ ଏତଲା ଦେବା ପରେ ପୋଲିସ ଏକ କେସ୍‌ (ନଂ. ୩୪୪/୨୧) ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।