ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ ଜି.ଚିନ୍ତାମଣିଙ୍କୁ ଗିରଫ କରିଛି। କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଅତିଥି ଚରଣ ନାୟକ ଅଭିଯୁକ୍ତମାନଙ୍କୁ ଗିରଫ କରି ରବିବାର ରାତିରେ କୋର୍ଟ ଚାଲାଣ କରିଛନ୍ତି। ଏନେଇ ଥାନାରେ ଏକ ମାମଲା(ନଂ.୨୪୪/୨୬) ରୁଜୁ ହୋଇଛି।
ବାପ, ପୁଅଙ୍କ ଜାମିନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଭ୍ରମରପୁର ଜଗନ୍ନାଥ ମନ୍ଦିର ନିକଟ ମେନ ରୋଡ଼ରେ ରହୁଥିବା ଜି. ଆପ୍ପାରାଓ ପ୍ରାୟ ୪ ବର୍ଷ ପୂର୍ବେ ତାଙ୍କ ପୁଅ ଜି.ଚିନ୍ତାମଣିଙ୍କ ବାହାଘର ସମୟରେ ଗ୍ରାମର ନୂଆସାହି ବାସିନ୍ଦା କେ.ଧୋବାଙ୍କ ଠାରୁ ୯୦ ହଜାର ଟଙ୍କା ଧାର ନେଇଥିଲେ। ସେ ବହୁବାର ମାଗିବା ସତ୍ତ୍ବେ ଜି. ଆପ୍ପା ରାଓ ଟଙ୍କା ଫେରାଇ ନ ଥିଲେ।
ଗତ ଶୁକ୍ରବାର ସକାଳେ କେ. ଧୋବା ତୁରନ୍ତ ଟଙ୍କା ଫେରସ୍ତ କରିବା ପାଇଁ ଆପ୍ପା ରାଓଙ୍କୁ କହିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଅପରାହ୍ନ ପ୍ରାୟ ୧ଟାରେ କେ.ଧୋବା ଗ୍ରାମର ଶିବାନନ୍ଦ ଆଶ୍ରମ ବାରଣ୍ଡାରେ ବସିଥିବା ବେଳେ ଆପ୍ପା ରାଓ ଏବଂ ତାଙ୍କ ଦୁଇ ପୁଅ ଚିନ୍ତାମଣି, କୁରା ସେଠାରେ ପହଞ୍ଚି ଆପ୍ପା ରାଓଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଳଜ କରିଥିଲେ। ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ସଂଘବଦ୍ଧ ଭାବେ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ।
ରକ୍ତାକ୍ତ ଅବସ୍ଥାରେ କେ. ଧୋବା ନିକଟସ୍ଥ କେ.ନୂଆଗାଁ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ମୌଖିକ ଭାବେ ଜଣାଇଥିଲେ। ତାଙ୍କ ବୟାନକୁ ଭିତ୍ତିକରି ଥାନା ଏସ୍.ଡି ନଂ.୧୧/୨୬ ଅନୁଯାୟୀ ରିପୋର୍ଟ କରାଯିବା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରୁ ଫେରିବା ପରେ ସେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ରବିବାର
ଅଭିଯୁକ୍ତ ବାପ, ପୁଅଙ୍କୁ ଗିରଫ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଜି.କୋରା ଗିରଫ ଭୟରେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତ ଚିନ୍ତାମଣିଙ୍କ ନିକଟରୁ ପୋଲିସ ହତ୍ୟା ଉଦ୍ୟମରେ ବ୍ୟବହୃତ ଠେଙ୍ଗା ଜବତ କରିଥିବା ଜଣାପଡିଛି।