ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୨୧୭/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୧୨୬(୨)/୨୯୬/୧୧୫(୨)/୧୧୮(୧)/୧୨୭(୨)/୧୦୯/୧୫୧(୨)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତା ଦ୍ୱୟଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ମେ ୧୯ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟାରେ ଗ୍ରାମର ଡି. ବିଜୟ ଗାଁ ଆଇଟିଆଇ ନିକଟସ୍ଥ କୁଟି ପୋଖରୀକୁ ଗାଧୋଇବା ପାଇଁ ଯାଉଥିବାବେଳେ ତାଙ୍କ ପଡୋଶୀ କୀର୍ତ୍ତନ ସେଠୀଙ୍କ ପୁଅ ଦୀପକ ଏବଂ ମୁଖା ପିନ୍ଧିଥିବା ତାଙ୍କ ଦୁଇ ସହଯୋଗୀ ଏକ ବାଇକରେ ପୋଖରୀ ନିକଟରେ ପହଞ୍ଚିଥିଲେ । ସେମାନେ ବିଜୟଙ୍କୁ ପୋଖରୀ ହିଡରେ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ପ୍ରତିବାଦ କରିବାରୁ ଦୀପକ ଏକ କାତିରେ ବିଜୟଙ୍କ ବେକକୁ ଲକ୍ଷ୍ୟ କରି ଚୋଟ ପକାଇଥିଲେ । ଫଳରେ ବିଜୟଙ୍କୁ ଗଭୀର ଆଘାତ ଲାଗିଥିଲା । ସେ ପ୍ରାଣ ବିକଳରେ ପୋଖରୀକୁ ଡେଇ ପଡ଼ିବାରୁ ଦୀପକ ଓ ତାଙ୍କ ଦୁଇ ସହଯୋଗୀ ଧମକ ଦେଇ ସେଠାରୁ ପଳାଇଥିଲେ। ବିଜୟ ଘରକୁ ଫେରୁଥିବାବେଳେ ଦୀପକଙ୍କ ବାପା କୀର୍ତ୍ତନ,ମା’ ଝୁନୁ,ଭାଇ ଶଙ୍କର,ଦାଦା ନରହରି,ଖୁଡି ବୁଧି ତାଙ୍କୁ ପୁଣି ରାସ୍ତାରେ ଅଟକାଇ ସଂଘବଦ୍ଧ ଭାବେ ମରଣାନ୍ତକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିଲେ। ବିଜୟ ରକ୍ଷାକର ରକ୍ଷାକର ବୋଲି ପାଟି କରିବାରୁ କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ସେମାନେ ସେଠାରୁ ପଳାଇଥିଲେ। ବିଜୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରକୁ ଆସି ସ୍ତ୍ରୀ କମଳାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସମ୍ପର୍କୀୟ ଲୋକଙ୍କ ସହାୟତାରେ କମଳା ସ୍ବାମୀଙ୍କୁ ଦିଗପହଣ୍ଡି ଗୋଷ୍ଠ ସ୍ବାାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସ୍ତ୍ରୀ କମଳା ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଅଭିଯୁକ୍ତମାନେ ବିଜୟଙ୍କୁ ହତ୍ୟା ଉଦ୍ୟମ କରିଥିବା ସହ କମଳାଙ୍କୁ ଅପହରଣ କରି ନେଇଯିବୁ ବୋଲି ଧମକ ଦେଇଥିବା ନେଇ ଏତଲାରେ ଉଲ୍ଲେଖ ଥିଲା । ଏତଲାକୁ ଭିତ୍ତିକରି ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଆଇଆଇସି କିଶୋର କୁମାର ସାମଲ ଘଟଣାର ପରଦିନ ଜଣେ ଅଭିଯୁକ୍ତ ନରହରି ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବିଜୟ ରହୁଥିବା ଘରର ମାଲିକାନା ସତ୍ତ୍ୱକୁ ନେଇ ଦୀର୍ଘଦିନ ହେଲା ଉଭୟ ପରିବାର ମଧ୍ୟରେ ଲାଗିରହିଥିବା ଶତ୍ରୁତା କାରଣରୁ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।