ଦିଗପହଣ୍ଡି,୨୫।୧୧ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ତେଣ୍ଟୁଆପଡ଼ା ଗ୍ରାମର ବାଙ୍କନିଧି ଗୌଡ଼ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଅପରାହ୍ନରେ ବାଙ୍କନିଧି ଓ ତାଙ୍କ ସମ୍ପର୍କୀୟ ବସନ୍ତ ନାୟକ ଗାଁ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ପାଖରେ ଜଳଖିଆ ଖାଉଥିବା ବେଳେ ଫାସିଗୁଡ଼ା ଗ୍ରାମର ଶଙ୍କର ନାୟକ ଓ ତାଙ୍କ ୨ ସହଯୋଗୀ ବାଇକରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଶଙ୍କର ଏକ କାତିରେ ବାଙ୍କନିଧିଙ୍କ ମୁଣ୍ଡକୁ ଚୋଟ ପକାଇବାକୁ ଉଦ୍ୟମ କରିବାରୁ ସେ ସାଇକେଲ ଛାଡ଼ି ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଏନେଇ ବାଙ୍କନିଧି କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ମାମଲା ନଂ. ୩୭୨/୨୬ ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍-ଜେଲକୁ ପଠାଇ ଦିଆଯାଇଛି। ୪ ବର୍ଷ ତଳେ ବାଙ୍କନିଧିଙ୍କ ପାଇଁ ଶଙ୍କରଙ୍କ ଭଉଣୀ ଆତ୍ମହତ୍ୟା କରିଥିବା ଏବଂ ତାଙ୍କ ପରିବାର ଲୋକେ ଜେଲ ଯାଇଥିବାରୁ ପ୍ରତିଶୋଧ ନେବାକୁ ସେ ଏହି ହତ୍ୟା ଯୋଜନା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।