ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ସ୍ବାମୀ ବିଜୟଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଏଏସଆଇ ପ୍ରଭାତ କୁମାର ବାଲିକାନା ରବିବାର ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଛନ୍ତି ।
ଥାନା ମାମଲା ନଂ.୩୬୫/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ସ୍ବାମୀ ସଦା ସର୍ବଦା ସ୍ତ୍ରୀ ଲିଲି ଏବଂ ତାଙ୍କ ପୁଅ, ଝିଅଙ୍କୁ କିଛି କାରଣ ନଥାଇ ଛୋଟ ଛୋଟ କଥାରେ ମାଡ଼ ମାରୁଥିଲେ । ଗତ ଶୁକ୍ରବାର ବିଜୟ ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲିଲି ୧୧୨ ପୋଲିସ ଟିମ୍ କୁ ଫୋନ କରିବାରେ ଫାଣ୍ଡି ଏଏସଆଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କୁ ବୁଝାସୁଝା କରି ଫେରିଥିଲେ। ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ବିଜୟ ନିଶାସକ୍ତ ଅବସ୍ଥାରେ ପୁଣି ଲିଲିଙ୍କୁ ତୁ କଣ ପାଇଁ କାଲି ପୋଲିସକୁ ଡାକିଥିଲୁ କହି ସର୍ବସମ୍ମୁଖରେ ଗାଳି କରି ଅପମାନିତ କରିଥିଲେ।
ଲିଲି ପ୍ରତିବାଦ କରିବାରୁ ବିଜୟ ତାଙ୍କୁ ମୁଥ, ଲାତ,ଗୋଇଠା ମାରି ତଳେ ପକାଇ ଏକ ଲୁହା କୋଡ଼ିରେ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଝିଅ ଆସି ଛଡାଇବାରୁ କୋଡ଼ିଟି ତାଙ୍କ ବାମ ହାତକୁ ବାଜି ଆହାତ ହୋଇଥିଲେ । ଏନେଇ ଲିଲି ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ ।