ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ସାଂଘାତିକ ଆକ୍ରମଣରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଏସ୍.ଆଇ. ମହାପ୍ରସାଦ ମହାନ୍ତି ଗିରଫ କରି ବିଳମ୍ବିତ ସନ୍ଧ୍ୟାରେ ବ୍ରହ୍ମପୁର SDJM କୋର୍ଟକୁ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୁକୁଡ଼ାଖଣ୍ଡି ବ୍ଲକ୍ ଦିଗପହଣ୍ଡି ଥାନା ଚାଞ୍ଚଡ଼ାପଲ୍ଲୀ ଗ୍ରାମର ଭରତ ଗୌଡ଼ (୨୭), ସଞ୍ଜୟ ଗୌଡ଼ (୨୧) ଏବଂ ଟୁକୁନା ଗୌଡ଼ (୩୨)। ଦିଗପହଣ୍ଡି ଥାନା ମାମଲା ନଂ. ୪୩୨/୨୬ ଅନୁଯାୟୀ କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଟୁନା ନାୟକ ଚାଞ୍ଚଡ଼ାପଲ୍ଲୀ ଗ୍ରାମରୁ ନିଜ କାମ ସାରି ବାଇକ୍ ଯୋଗେ ନିଜ ଗାଁ ବନ୍ଥପଲ୍ଲୀକୁ ଫେରୁଥିଲେ। ଏହି ସମୟରେ ଚାଞ୍ଚଡ଼ାପଲ୍ଲୀ ଗାଁ ଠାକୁରାଣୀ ମନ୍ଦିର ନିକଟରେ ପୂର୍ବରୁ ଛକି ରହିଥିବା ଅଭିଯୁକ୍ତମାନେ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ମୁଣ୍ଡ, ବାମ ଗୋଡ଼ର ଆଣ୍ଠୁ ଓ ଡାହାଣ ଗୋଡ଼ର ପାଦକୁ ସାଂଘାତିକ ଭାବେ ହାଣି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ଘଟଣାର ପରଦିନ ସରପଞ୍ଚ କାମିନୀ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ IIC କିଶୋର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ମାମଲା ରୁଜୁ ହୋଇଥିଲା।
ଥାନା IIC ଓ ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରି ଶନିବାର ସକାଳ ପ୍ରାୟ ସାଢ଼େ ୧୧ଟାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପୋଲିସ ଜେରା ସମୟରେ ଅଭିଯୁକ୍ତ ଭରତ ଗୌଡ଼ ଠାକୁରାଣୀ ମନ୍ଦିର ନିକଟ ବୁଦା ମୂଳରେ ଲୁଚାଇ ରଖିଥିବା ମାରାତ୍ମକ ଖଣ୍ଡାକୁ ପୋଲିସକୁ ହସ୍ତାନ୍ତର କରିଥିଲା। ଏହାସହ ପୋଲିସ ଘଟଣାସ୍ଥଳରୁ ଟୁନାଙ୍କ ରକ୍ତଭିଜା ଜୋତା ଓ ଶାର୍ଟ ଜବତ କରିଛି।
ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବର ୧୬ ତାରିଖରେ ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଟୁନାଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା ଏବଂ ସେତେବେଳେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା। ତେବେ ସ୍ଥାନୀୟ ଭଦ୍ରଲୋକଙ୍କ ହସ୍ତକ୍ଷେପ ପରେ ଘଟଣାର ଆପୋଷ ସମାଧାନ ହୋଇଯାଇଥିବାରୁ ସେତେବେଳେ ଥାନାରେ ଏତଲା ଦିଆଯାଇ ନ ଥିଲା ବୋଲି ସରପଞ୍ଚ କାମିନୀ ନାୟକ ପୋଲିସ ନିକଟରେ ନିଜ ବୟାନରେ ଦେଇଛନ୍ତି।